ଟୋଲଗେଟ ପାଇଁ ବୈଠକ : ଲୋକଙ୍କ ବିରୋଧ, ଆନ୍ଦୋଳନ ଧମକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍ : ଜାତୀୟ ରାଜପଥ ୪୯ର ଗାନ୍ଧିଛକ ନୂଅାଁଡିହିରେ ନିର୍ମିତ ଟୋଲଗେଟକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଫଳରେ ଏହାକୁ କାର୍ଯ୍ୟକ୍ଷମ କରିବାପାଇଁ ମଙ୍ଗଳବାର ସଂଧ୍ୟାରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜ ପାଣ୍ଠି ସଭାକକ୍ଷରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ଏନଏଚଆଇ ବରିଷ୍ଠ ଅଧିକାରୀ ଯୋଗଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ପିପିପି ମୋଡ଼ରେ ଏହି ଝାରସୁଗୁଡ଼ା ଠାରୁ କନକତୋର ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କରିଛନ୍ତି। ଏହି ରାସ୍ତା ପାଇଁ ଟୋଲଗେଟ ମାଧ୍ୟମରେ ଟିକସ ଆଦାୟ କରିବାର ମଧ୍ୟ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ଏହି ଟୋଲ ପ୍ଲାଜାରେ ଜିଲ୍ଲାର ସମସ୍ତ ୪ ଚକିଆ ଗାଡ଼ି ଯିବା ଆସିବା ପାଇଁ ଦୁଇଟି ରାସ୍ତା ଛଡ଼ାଯିବ ଓ ତାଙ୍କ ଠାରୁ କୌଣସି ଟିକସ ନିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। ଏଥିସହ ଏକ ମାସଯାଏ ପରୀକ୍ଷାମୂଳକ ଭାବେ ଟୋଲ ଟିକସ ଟ୍ରକଗୁଡିକରୁ ଆଦାୟ ହେବ। ଯଦି ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିବ, ତେବେ ଏହାକୁ ବନ୍ଦକରିବାକୁ ବିଚାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଭବିଷ୍ୟତରେ ଟୋଲଗେଟକୁ ନେଇ ସମସ୍ୟା ଉପୁଜିଲେ ଏହି ଟୋଲ ପ୍ଲାଜାକୁ ଉଚ୍ଛେଦ କରିବାକୁ ଓ ଏଠାରେ ୪ ଲେନ ରାସ୍ତା ନିର୍ମାଣ କରିବାକୁ ଏନଏଚଆଇକୁ ସେ ପତ୍ର ଲେଖିବେ ବୋଲି ସେ କହିଛନ୍ତି।
ଅନୁଷ୍ଠିତ ବୈଠକରେ ଟୋଲଗେଟକୁ ସଂପୂର୍ଣ୍ଣ ଭାବରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ଯେ, ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ନିୟମ ଅନୁସାରେ କୌଣସି ପୌର ସଂସ୍ଥାର ୧୦ କିମି ମଧ୍ୟରେ ଥିବା ରାସ୍ତାରେ ଟୋଲ ପ୍ଲାଜା ହେଇପାରିବ ନାହିଁ ବୋଲି ୨୦୦୮ ମସିହାରେ ସରକାର ନିୟମ କରିଥିଲେ। କିନ୍ତୁ ଗତ ଅଗଷ୍ଟ ୨୨ରେ ନିୟମ ପରିବର୍ତ୍ତନ ହୋଇ ୧୦ କିମି ପରିବର୍ତ୍ତେ ୫ କିମି ହେଲା।
ନୂତନ ନିୟମ ଅନୁସାରେ ମଧ୍ୟ ବ୍ରଜରାଜନଗର ପୌର ପରିଷଦର ୨ ଟି ୱାର୍ଡର ୫ କିମି ପରିଧିରେ ଏହି ଟୋଲ ପ୍ଲାଜା ଆସୁଥିବା ଲୋକେ ଅଭିଯୋଗ କରିଥିଲେ। ସେମାନେ ଆହୁରି ମଧ୍ୟ କହିଛନ୍ତି ଏହି ଟୋଲଗେଟର ମାତ୍ର ୫୦ ମିଟର ଦୂରରେ ନୂଆଁଡ଼ିହିର ୧୨ ଶହ ପରିବାର ବସବାସ କରୁଛନ୍ତି। ଏହି ପରିବାର ଟୋଲଗେଟ ପାଇଁ ପ୍ରଦୂଷଣର ଶିକାର ହେବେ। ବେଲପାହାଡ଼ ଓ ବ୍ରଜରାଜନଗର ଅଞ୍ଚଳରୁ ହଜାର ହଜାର ଟ୍ରକ ଏହି ରାସ୍ତାରେ କୋଇଲା ପରିବହନ କରୁଛି। ତେଣୁ ଏଠାରେ ଟୋଲ ପ୍ଲାଜା ହେଲେ ମାତ୍ରାଧିକ ଟ୍ରାଫିକ ସମସ୍ୟା ହେବା ସହିତ ଦୁର୍ଘଟଣା ମଧ୍ୟ ବୃଦ୍ଧିପାଇବାର ଆଶଙ୍କା ରହିଛି।

ତେଣୁ ପ୍ରଥମେ ଜାତୀୟ ରାଜପଥ ବିଭାଗ ଝାରସୁଗୁଡ଼ାରୁ କନକତୋର ପର୍ଯ୍ୟନ୍ତ ୪ ଲେନ ରାସ୍ତା ନିର୍ମାଣ କରିବା ସହିତ ଦ୍ୱିତୀୟ ଇବ ସେତୁ ନିର୍ମାଣ କରିବାପରେ ଟୋଲଗେଟ ଖୋଲାଯାଉ ବୋଲି ଲୋକେ ଦାବି କରିଛନ୍ତି। ଏହାସହ ଟୋଲ ପ୍ଲାଜାରେ ବାଇକ ଓ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ରାସ୍ତା ରହିବା ଦରକାର କିନ୍ତୁ ନୂଆଁଡ଼ିହି ଠାରେ ନିର୍ମାଣ କରାଯାଇଥିବା ଏହି ଟୋଲ ଗେଟରେ ରାସ୍ତା ଅଣ ଓସାରିଆ ଥିବାରୁ ଏଠି ବାଇକ ଓ ଆମ୍ବୁଲାନ୍ସ ଯିବା ପାଇଁ କୌଣସି ସ୍ୱତନ୍ତ୍ର ଲେନ ନାହିଁ। ଯଦି ଆଗାମୀ ଦିନରେ ଏହି ଟୋଲ ଗେଟରୁ ସରକାର ଟିକସ ଆରମ୍ଭ କରନ୍ତି ତେବେ ଆନ୍ଦୋଳନ ହେବ ଓ ଏହି ଆନ୍ଦୋଳନ ପାଇଁ ସରକାର ଓ ଏନଏଚଆଇ ଦାୟୀ ରହିବେ ବୋଲି ବ୍ରଜରାଜନଗରରୁ ଆସିଥିବା ବିଭିନ୍ନ ସଂସ୍ଥା କହିଥିଲେ।

ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧୀକାରୀ ଅଶ୍ୱିନୀ ମହାନ୍ତି, ଏଡିଏମ ପ୍ରଦୀପ୍ତ କୁମାର ସାହୁ, ଉପ ଜିଲ୍ଲାପାଳ ଶିବଶଙ୍କର ଟପୋ, ଏନଏଚଆଇଆର ଭେଙ୍କେଶ୍ୱର ୱାରଲୁ, ଆରଟିଓ ସିଦେ୍ଧଶ୍ୱର ନାଏକ, ଏମଭିଆଇ ଜନ୍ମେଜୟ ନାଏକ, ଝାରସୁଗୁଡ଼ା ନିର୍ବାହୀ ଯନ୍ତ୍ରୀ ଗିରୀଶ ଚନ୍ଦ୍ର ରାୟ, ବ୍ରଜରାଜନଗର ଏସଡିପିଓ ନୃପଚରଣ ଡନସନା, ବ୍ରଜରାଜନଗର ଥାନାଧିକାରୀ ବିଶ୍ୱାମିତ୍ର ହରପାଲ, ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ, ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲ, ପ୍ରମୋଦ ପଟେଲ, ଜୟନ୍ତ ଦିକ୍ଷୀତ, ପ୍ରମୋଦ ପଣ୍ଡା, ଅନିଲ ଅଗ୍ରୱାଲ, ବାବୁଲାଲ ରୁଙ୍ଗଟା, ଶ୍ୟାମ ରାଲୱାନୀ ମୋର ପ୍ରମୁଖ ଉପସ୍ଥିତ ରହିଥିଲେ।