ମୋତେ କେହି ଗିରଫ କରିପାରିବେ ନାହିଁ: ବାବା ରାମଦେବ

ଡେରାଡ଼ୁନ,ଏଜେନ୍ସି: ଏଲୋପାଥି ଔଷଧ ଓ ଏଲୋପ୍ୟାଥି ଡାକ୍ତରଙ୍କ ସମ୍ପର୍କରେ କଟୂ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଯୋଗଗୁରୁ ବାବା ରାମଦେବ ଗୁରୁବାର କହିଛନ୍ତି, ମୋତେ କେହି ଗିରଫ କରିପାରିବେ ନାହିଁ। ଗତ ବୁଧବାର ଏ ସଂକ୍ରାନ୍ତରେ ରାମଦେବଙ୍କ ଏକ ନୂଆ ଭିଡିଓରେ ସେ ଏଭଳି କହିଛନ୍ତି। ତାଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯିବାକୁ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମ୍‌ଏ) ଦାବି କରିବା ପରିପ୍ରେକ୍ଷୀରେ ସେ ପ୍ରତିକ୍ରିୟା ପ୍ରକାଶକରି ଏହା କହିଛନ୍ତି।

କଂଗ୍ରେସ ନେତା ଗୌରବ ପାନ୍ଧି ଟ୍ୱିଟର୍‌ରେ ଏଭଳି ଏକ ଭିଡିଓ ସେୟାର କରି ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କୁ ଟ୍ୟାଗ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆଇଏମ୍‌ଏ ଉତ୍ତରାଖଣ୍ଡ ଶାଖା ପକ୍ଷରୁ ରାମଦେବଙ୍କ ବିରୋଧରେ ୧,୦୦୦ କୋଟି ଟଙ୍କାର ମାନହାନି ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍ ପାଇବାର ୧୫ଦିନ ମଧ୍ୟରେ ଲିଖିତ ଭାବେ କ୍ଷମାପ୍ରାର୍ଥନା କରିବାକୁ କୁହାଯାଇଛି।

ରାମଦେବ ଅଭିଯୋଗ କରିଥିଲେ ଏଲୋପ୍ୟାଥି ଔଷଧ ଖାଇ ଲକ୍ଷ ଲକ୍ଷ ଲୋକ କୋଭିଡ୍‌ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ତାଙ୍କର ଏହି ଆପତ୍ତିଜନକ ମନ୍ତବ୍ୟରେ ଡାକ୍ତରମାନେ ବିରୋଧ କରିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏଭଳି ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ବାବା ରାମଦେବଙ୍କୁ ପରାମର୍ଶ ଦେବାପରେ ସେ ତାଙ୍କର ମନ୍ତବ୍ୟ ପ୍ରତ୍ୟାହାର କରିନେଇଛନ୍ତି।