ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ହୋଇ ଦେଶରେ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ପ୍ରଥମ ଲହରି ଠାରୁ ଦ୍ୱିତୀୟ ଲହରିରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ କେବଳ ସାଧାରଣ ଜନତା ହିଁ ନୁହେଁ, ଆଗ ଧାଡିର ଯୋଦ୍ଧା, ସୁରକ୍ଷା କର୍ମୀ, ସରକାରୀ କର୍ମଚାରୀ, ସେଲିବ୍ରେଟି ଓ ଅନେକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି।
ଏହାକୁ ଲକ୍ଷ କରି କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାର ପ୍ରତି କେନ୍ଦ୍ର ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତ ସାମ୍ବାଦିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ପତ୍ରକାର କଲ୍ୟାଣ ଯୋଜନା ଅନୁସାରେ ଏହି ଘୋଷଣା କରାଯାଇଛି।