ଛତିଶଗଡ଼ର ୯ ହଜାର ଗାଁ କୋଭିଡ ମୁକ୍ତ, ସୂଚନା ଦେଲେ ସରକାର

ରାଇପୁର,ଏଜେନ୍ସି: ଛତିଶଗଡ଼ର ପାଖାପାଖି ଅଧା ରାଜ୍ୟ ତଥା ୯ ହଜାରରୁ ଅଧିକ ଗାଁ’ କୋଭିଡ ମୁକ୍ତ ହୋଇଥିବା ନେଇ ଆଜି ରାଜ୍ୟ ସରକାର ଦାବି କରିଛନ୍ତି। ସୂଚନା ଅନୁସାରେ କରୋନାର ଦ୍ୱିତୀୟ ଲହରି ଆରମ୍ଭ ପରେ ରାଜ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଫଳରେ ଏବେ ରାଜ୍ୟର ୨୦ ହଜାର ୯୨ଟି ଗାଁରୁ ୯ ହଜାର ୪୬୨ଟି ଗାଁ କୋଭିଡ ମୁକ୍ତ ହୋଇଥିବା ସରକାର ତରଫରୁ ସୂଚନା ଦିଆଯାଇଛି।

ଦ୍ୱିତୀୟ ଲହରିର ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କଟକଣା ଜାରି କରିଥିଲେ। ପ୍ରଥମ ଲହରିରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକୁ ପୁଣି କାର୍ଯ୍ୟକ୍ଷମ ପାଇଁ ଆଦେଶ ଦେଇଥିଲେ। ଏଥିସହିତ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ଆଦେଶ ଦେଇଥିଲେ। ସେହିପରି ଗ୍ରାମାଞ୍ଚଳରେ ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ ସଂକ୍ରମିତ ଚିହ୍ନଟ କରିଥିଲେ।

ସେହିପରି ରାଜ୍ୟରେ କୋଭିଡ ଟେଷ୍ଟିଂ ସେଣ୍ଟର ବୃଦ୍ଧି କରାଯାଇ ଦୈନିକ ୭୦ ହଜାର ଟେଷ୍ଟ କରାଯାଇଥିଲା। ଏଥିସହିତ ଜିଲ୍ଲା ହସ୍ପିଟାଲ ମାନଙ୍କରେ କୋଭିଡ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବା ସହିତ ଗାଁ ମାନଙ୍କରେ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଇଥିଲା।