ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ବାତ୍ୟା ‘ୟାଶ’ ପ୍ରଭାବରେ ଗତକାଲିଠାରୁ ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ଦେବଗଡ଼ ଜିଲ୍ଲା ସଦର ମହକୁମା ଏବଂ ବାରକୋଟ ବ୍ଲକରେ ପବନ ଓ ବର୍ଷାର ପ୍ରଭାବ ଅନ୍ୟ ବ୍ଲକ ତୁଳନାରେ ଅଧିକ ଅନୁଭୂତ ହୋଇଛି। ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ପ୍ରଭାବରେ ୪୯ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାରକୋଟ ଥାନା ମଧ୍ୟରେ ବର୍ଷା ପାଣି ପଶିଯିବା ସହ ଥାନା ପରିସର ସମ୍ପୂର୍ଣ ଜଳବନ୍ଦୀ ହୋଇ ରହିଛି । ଫଳରେ ସକାଳୁ ଥାନାକୁ ଆସୁଥିବା ଲୋକେ ଭିତରକୁ ପଶି ପାରୁନଥିବା ବେଳେ ଭିତରେ ଥିବା କର୍ମଚାରୀମାନେ ଜଳବନ୍ଦୀ ହୋଇ ରହିଥିବା ଚିତ୍ର ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରୁ ଆଜି ସକାଳ ୮ଟା ମଧ୍ୟରେ ଜିଲ୍ଲାର ବାରକୋଟ ବ୍ଲକରେ ୧୧୩.୨ ଏମଏମ ବର୍ଷା ରେକର୍ଡ ହୋଇଥିବାବେଳେ ଦେବଗଡ଼ରେ ୧୩୧.୦ ଓ ରିଆମାଳରେ ୩୧.୨ ଏମଏମ ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି।