ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକ୍ ପ୍ରଶାସନ ପକ୍ଷରୁ ସାମୁଦ୍ରିକ ଝଡ଼ ‘ୟାସ୍’କୁ ନେଇ ମୋଟ ୫୬ ଅସ୍ଥାୟୀ ଆଶ୍ରୟ ସ୍ଥଳ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିର ନିର୍ଦ୍ଦେଶ ଅନୁଯାୟୀ ସକାଳ ୭ ସୁଦ୍ଧା କଚାଘରେ ରହୁଥିବା ମୋଟ ୧୩୬୭ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି।
ପାଟଣା ବ୍ଲକରେ ମୋଟ ୨୬ଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ଖୋଲାଯାଇଥିବା ବେଳେ ବିଭିନ୍ନ ଆଶ୍ରୟ ସ୍ଥଳରେ ୪୦୯ ଜଣଙ୍କୁ ରଖାଯାଇଛି। ସେହିପରି ସାହାରପଡା ବ୍ଲକ ପ୍ରଶାସନ ପକ୍ଷରୁ ୩୦ଟି ଆଶ୍ରୟସ୍ଥଳରେ ମୋଟ ୯୫୮ ଜଣଙ୍କୁ ରଖା ଯାଇଥିବା ଉଭୟ ବ୍ଲକ ପକ୍ଷରୁ ସୂଚନା ମିଳିଛି। ଆଶ୍ରୟ ସ୍ଥଳରେ ରହୁଥିବା ସମସ୍ତ ଲୋକଙ୍କୁ ବ୍ଲକ ପ୍ରଶାସନ ତରଫରୁ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି।
ବାତ୍ୟା ମୁକାବିଲା କରିବା ପାଇଁ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯିବା ସହ କୌଣସି ଅସୁବିଧାରେ ସମ୍ମୁଖୀନ ହେଲେ ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରାଯାଇଛି। ଆଶ୍ରୟ ସ୍ଥଳରେ ରହିଥିବା ଲୋକେ କିପରି ଅସୁବିଧାର ସମୁଖୀନ ନ ହୁଅନ୍ତୁ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବା ସହ ସମସ୍ତଙ୍କ ସ୍ୱାସ୍ଥ୍ୟ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବାତ୍ୟା ୟାସକୁ ମୁକାବିଲା କରିବା ପାଇଁ ପାଟଣା ବିଧାୟକ ଜଗନ୍ନାଥ ନାଏକ ବିଭିନ୍ନ ଆଶ୍ରୟ ସ୍ଥଳକୁ ବୁଲି ସ୍ଥିତି ପରଖିଛନ୍ତି। କିଭଳି ଜନ ସାଧାରଣ ଅସୁବିଧାରେ ସମ୍ମୁଖୀନ ନହେବେ ସେଥି ପ୍ରତି ଅଧିକାରୀଙ୍କ ସହ ଆଲୋଚନା କରିବା ସହ ୟାସକୁ ମୁକାବିଲାର ପାଇଁ ସମୀକ୍ଷା କରିଛନ୍ତି।