ସିଲେରୁ ଡ୍ୟାମରେ ଡଙ୍ଗା ବୁଡ଼ି ଘଟଣା: ଜଣେ ଶିଶୁ ସମେତ ୬ ମୃତ ଦେହ ଉଦ୍ଧାର, ୨ ଏବେବି ନିଖୋଜ

ସ୍ଥିତି ପରଖିବା ନିମନ୍ତେ ପହଞ୍ଚିଲେ ମାଲକାନଗିରି ଜିଲ୍ଲାପାଳ

କୋରୁକୋଣ୍ଡା,ଏନ୍ଏନ୍ଏସ୍: କନ୍ଧଗୁଡା ଡ଼ଙ୍ଗାବୁଡି ଘଟଣାରେ ନୂଆ ମୋଡ। ପ୍ରବାସୀଙ୍କ ଗଳାବାଟ ସାଜିଛି ଏହି ଆନ୍ଧ୍ର ଓଡିଶା ସୀମାନ୍ତ ସିଲେରୁ ଡ୍ୟାମ। ପ୍ରବାସୀ ମାନଙ୍କୁ କାଳେ ୧୪ ଦିନିଆ କ୍ୱାରେଣ୍ଟାଇନ ରୁମରେ ରହିବାକୁ ପଡିବ ତାକୁ ଡରି ରାତ୍ରି ସମୟରେ ଦେଶୀ ଡଙ୍ଗା ମାଧ୍ୟମରେ ଫେରୁଥିଲେ ନିଜ ଘରକୁ। ସନ୍ଧ୍ୟା ୮ଟାରେ ହଠାତ ଜଳ ରାଶିର ମଧ୍ୟଭାଗରେ ଏକ କାଠ ଖୁଣ୍ଟରେ ବାଡ଼େଇ ହୋଇଥିଲା। ପରେ ଧୀରେଧୀରେ ପାଣି ଡଙ୍ଗା ମଧ୍ୟକୁ ପ୍ରବେଶ କରିବାକୁ ଲାଗିଲା। ଏହା ଦେଖି ନିକଟରେ ଥିବା ଅନ୍ୟ ଏକ ଦେଶୀ ଡଙ୍ଗାକୁ ଯିବା ପାଇଁ କିଛି ବ୍ୟକ୍ତି ଡେଇଁ ପଡ଼ିଥିଲେ। ସେହି ସମୟରେ ହିଁ ଡଙ୍ଗାରେ ଥିବା ୩ଟି ପରିବାରର ୧୧ ଜଣ ସଦସ୍ୟ ପାଣି ମଧ୍ୟରେ ବୁଡି ଯାଇଥିଲେ। ଗୋଟିଏ ପରିବାର ଜଣେ ବାପା ତାର ୨ ପୁଅକୁ ପାଣି ମଧ୍ୟରୁ ଉଦ୍ଧାର କରି କଷ୍ଟେ ମଷ୍ଟେ କୂଳରେ ପହଞ୍ଚିଥିଲେ। ତେବେ ଏହି ଡଙ୍ଗାବୁଡ଼ି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।

ଖବରପାଇ ରାତି ୧୦ଟା ସମୟରେ ଚିତ୍ରକୋଣ୍ଡା ଏସଡ଼ିପିଓ ସୁନାରାମ ହେମ୍ବ୍ରମ ଏବଂ କୋରୁକୋଣ୍ଡା ଅଗ୍ନିଶମ ବାହିନୀ ରାତିତମାମ ଜଳ ରାଶି ମଧ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ। ଘନ ଅନ୍ଧକାରରେ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା। ତଥାପି ୧୦ ମାସର ଶିଶୁର ମୃତ ଦେହ ଉଦ୍ଧାର କରାଯାଇଥିଲା। ସକାଳୁ ଆଉ ୨ ଜଣଙ୍କ ମୃତ ଦେହ ଓ ମଧ୍ୟାହ୍ନରେ ଆଉ ୩ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏଥିସହ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଳରାଶି ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି। ନିଜେ ମାଲକାନଗିରି ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି। ବହୁତ ଜଲଦି ମୃତକଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।