ବେସରକାରୀ ହସ୍ପିଟାଲକୁ କୋଭିଡ ଟିକା ଯୋଗାଣ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଅମରାବତି,ଏଜେନ୍ସି: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗମୋହନ ରେଡ୍ଡି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେସରକାରୀ ଚିକିତ୍ସାଳୟକୁ କୋଭିଡ ଟିକା ଯୋଗାଣ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।

ଶ୍ରୀ ରେଡ୍ଡି କେନ୍ଦ୍ରକୁ ଏନେଇ ଏକ ଚିଠି ଲେଖି ଅନୁରୋଧ କରିବା ସହ କହିଛନ୍ତି କି, ବେସରକାରୀ ହସ୍ପିଟାଲ ଗୁଡ଼ିକ ଟିକାର କଳାବଜାରି କରୁଛନ୍ତି। ଟିକାର ଡୋଜ୍ ପାଇଁ ସେମାନେ ୨ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି। ତେଣୁ ବେସରକାରୀ ହସ୍ପିଟାଲକୁ ଟିକା ଯୋଗାଣ କରି ଏହା କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୀମିତ ରଖନ୍ତୁ। ଏଥିସହିତ ସେ କହିଛନ୍ତି କି ଏହି ଟିକା ଜନସାଧାରଣଙ୍କ ପାଇଁ ଉତ୍ତମ ଓ ଆଦର୍ଶ ଭାବରେ ସେମାନଙ୍କୁ ବିନା ମୂଲ୍ୟରେ କିମ୍ବା ଅତି କମରେ ସୁଲଭ ମୂଲ୍ୟରେ ଦିଆଯିବ। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ଯୋଗାଣ ଚ୍ୟାନେଲରେ ଟିକା ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ଅନେକ ରାଜ୍ୟ ୪୫ ବର୍ଷରୁ କମ ଲୋକଙ୍କୁ ଟିକାକରଣ କରିବାରେ ସକ୍ଷମ ହୋଇନାହାନ୍ତି।

ସେହିପରି ବହୁ ରାଜ୍ୟ ସରକାର ସହିତ ଆମ ସରକାର ମଧ୍ୟ ୧୮-୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବର୍ତ୍ତମାନ ଟିକା ଅଭାବରୁ ବର୍ତ୍ତମାନ ଆମ ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ କରାଯାଉଛି। ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି କି ସେ ଏଥିପ୍ରତି ଧ୍ୟାନ ଦେଇ କୋଭିଡ ଟିକାକୁ ବେସରକାରୀ ହସ୍ପିଟାଲକୁ ଯୋଗାଣ ବନ୍ଦ କରିବେ। ଫଳରେ ପ୍ରକୃତ ହିତାଧିକାରୀଙ୍କୁ ଠିକ୍ ସମୟରେ କେନ୍ଦ୍ର ତଥା ରାଜ୍ୟ ସରକାର ଟିକା ଯୋଗାଇପାରିବେ।