କୋରୁକୋଣ୍ଡା,ଏନ୍ଏନ୍ଏସ୍: ପେଟ ପୋଷିବା ଲାଗି କାମ କରିବାକୁ ଆନ୍ଧ୍ରକୁ ଯାଇ ଶବ ହୋଇ ଫେରିଲେ ଜଣେ ମହିଳା। ତେବେ ଏପରି ଏକ ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଲକ୍ଷ୍ମଣ ଖିଲ ଓ ତାଙ୍କ ପତ୍ନୀ ଯମୁନା ଖରା(୨୫) ଦୁହେଁ ତେଲେଙ୍ଗାନାର ନିଜମାବାଦକୁ ଦାଦନ ଖଟିବା ନିମନ୍ତେ ଯାଇଥିଲେ। ତେବେ ହଠାତ ୨ଦିନ ତଳେ ସେଠାରେ ସ୍ତ୍ରୀ ଯମୁନା ଡିଜେଲ ଢାଳି ହୋଇ ଆତ୍ମହତ୍ୟା କରିଥିଲେ। ଯମୁନା ଡିଜେଲ ଢାଳିବା ଦେଖି ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିବାକୁ ଯିବା ସମୟରେ ସେ ଦେହରେ ନିଆଁ ଲଗେଇ କଷ୍ଟ ସହ୍ୟ କରିନପାରି ନିକଟସ୍ଥ ଏକ କୂଅ ମଧ୍ୟରେ ପଡ଼ି ଯାଇଥିଲେ। ପରେ କ୍ରେନ ମାଧ୍ୟମରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ସେଠାରୁ ସ୍ଥାନୀୟ ଠିକାଦାରଙ୍କ ସହାୟତାରେ ମହିଳାଙ୍କୁ ଆମ୍ବୁଲାନ୍ସଯୋଗେ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ କେଉଁ କାରଣରୁ ମହିଳା ଜଣକ ଡିଜେଲ ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଥିବାବେଳେ ସ୍ଥାନୀୟ ଠିକାଦାର କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଟଙ୍କାକୁ ନେଇ ଗଣ୍ଡଗୋଳ ହେବାରୁ ଏପରି ପରିସ୍ଥିତି ଉପୁଜିଥିବା ସୂଚନା ଦେଇଛନ୍ତି। ତେବେ ଆଜି ମହିଳାଙ୍କୁ ତେଲେଙ୍ଗାନାରୁ ତାଙ୍କ ଘରକୁ ଅଣାଯାଇଥିଲା। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।