ଦେଓଗାଁ,ଏନ୍ଏନ୍ଏସ୍: ଲକଡାଉନ ସମୟରେ ମଦ ଭାଟି ବନ୍ଦ ଥିଲେ ହେଁ ଗାଁଗୁଡ଼ିକରେ ଗଢି ଉଠିଛି ମଦ କାରଖାନା। କିଏ ଚୋରାରେ ମଦ ବିକ୍ରି କରୁଛି ତ ପୁଣି କିଏ ମଦ ରାନ୍ଧି ଚାଲାଣ କରୁଛି। ଏଭଳି ସ୍ଥିତିରେ ତୁଷୁରା ଅବକାରୀ ଥାନାର ଗମ୍ଭାରୀଗୁଡ଼ା, କପସିଲା, ନୂଆଁପଡ଼ାରେ ଜିଲ୍ଲା ପ୍ରଶାସନ ଓ ଅବକାରୀ ମୋବାଇଲ ୟୁନିଟ ମିଳିତ ଭାବେ ଚଢ଼ଉ କରି ୪ କ୍ୟୁଣ୍ଟାଲ ମହୁଲ ଫାସକୁ ନଷ୍ଟ କରିଥିବାବେଳେ ୩୫୫ ଲିଟର ଖୋଲା ମଦକୁ ଜବତ କରିଛି। ଖବର ପାଇ ମଦ ରାନ୍ଧୁଥିବା ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆଜିର ଏହି ଚଢଉ କାର୍ୟ୍ୟକ୍ରମରେ ମାଜିଷ୍ଟ୍ରେଟ ଭାବରେ ପୁଇଁଁତଲା ତହସିଲଦାର, ଅବକାରୀ ଥାନା ଅଧିକାରୀ ଉଦଲାଲ ନାୟକ ଓ ମୋବାଇଲ ୟୁନିଟର ଅରୁଣ ଯୋଶୀଙ୍କ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗୁଡ଼ଭେଳା ବ୍ଲକର ତୁଷୁରାଠାରେ ପୁଲିସ ଓ ଅବକାରୀ ୨ଟି ଥାନା ରହିଥିଲେ ବି ବେଆଇନ ମଦ କାରବାର ଦିନକୁଦିନ ବଢ଼ିବାରେ ଲାଗିଛି। ଦେଓଗାଁ ଓ ତୁଷୁରା ଥାନା ଅଞ୍ଚଳରେ ଲକଡାଉନର ସୁଯୋଗ ନେଇ ବେଧଡ଼କ ଭାବରେ ମଦ ରନ୍ଧା କାରବାର ଚାଲିଛି । ଦେଓଗାଁ ବ୍ଲକ୍ ସାରସବାହଲ, ଘୁଡୁକାପଲା, ବନ୍ଧପଡ଼ା ଓ ଭୁତିଆରବହଲ ଭାଟିରୁ ପାଉଚ ମଦ ଯୋଗାଣ ହୋଇଥାଏ। ଏବେ ଭାଟି ବନ୍ଦ ଥିବାରୁ ପାଉଚ ବଦଳରେ ଖୋଲା ମଦ କେତେକ ଭାଟିରୁ ଯୋଗାଣ ହେଉଥିବା ଅଭିଯୋଗ ହେଉଛି। ଏପରିକି ଦେଓଗାଁର କିଛି ମଦ ଭାଟି କୁଚିଆ ସାହାଯ୍ୟରେ ଗାଁଗୁଡ଼ିକରେ ପାଉଚ ମଦ ବିକ୍ରି କରାଉଛନ୍ତି। ସନ୍ଧ୍ୟା ହେଲେ ଗାଁ ଗାଁରେ ମଦର ଆସର ମଧ୍ୟ ବେସ ଜମୁଛି। ସେହିପରି ଗଞ୍ଜେଇ ବ୍ୟବସାୟୀମାନେ ମଧ୍ୟ ଉକ୍ତ ଅଞ୍ଚଳରେ ସକ୍ରିୟ ରହିଛନ୍ତି। ରାତିରେ ନାଇଟ କର୍ଫ୍ୟୁ ଚାଲିଥିବାବେଳେ ଜାମୁଟ-ଗୁଡ଼ଭେଳା-ତୁଷୁରା ଦେଇ ଦେଓଗାଁକୁ ଗଞ୍ଜେଇ ଗାଡି ପ୍ରବେଶ କରୁଛି। ଖୋଲା ମଦ କାରବାର ବିଶେଷ କରି ସାପ୍ତାହିକ ହାଟ ବସୁଥିବା ସ୍ଥାନ, ବନ୍ଧଆଡ଼ି, ଖେଳପଡ଼ିଆ ଗାଁମୁଣ୍ଡ ତଥା ନିଛାଟିଆ ସ୍ଥାନରେ ବିକ୍ରି ହେଉଛି। ସେହିପରି ଜଙ୍ଗଲ ଘେର ଗାଁ ମୁରସିଂହ, ଦେଷଣ୍ଢ, ଠାଲବନ୍ଦ, କୁକୁରଖାଇ ଦୁମେରଜୋର, ସତୀଘାଟ, ମିର୍ଧାପାଲି, ଫଟା ମିଣ୍ଡା, ଶୁଲିଆ ଜଙ୍ଗଲ,ବନ୍ଧପଡ଼ା ଅଞ୍ଚଳରେ ବି ବେଆଇନ ରନ୍ଧା ମଦ କାରବାର ଚାଲିଥିବା ଅଭିଯୋଗ ହେଉଛି। ଏନେଇ ବଲାଙ୍ଗିର ଅବକାରୀ ମୋବାଇଲ ୟୁନିଟ ଅଧିକାରୀ ଅରୁଣ ଯୋଶୀଙ୍କୁ ପଚାରିବାରୁ ମଦ ବିକ୍ରି ଉପରେ ଚଢ଼ଉ ଜାରି ରହିଛି ଏବଂ ପୁଲିସ ବିଭାଗ ଟିକେ ସହଯୋଗ କଲେ ଆହୁରି ଜୋରଦାର ଚଢ଼ଉ ହୋଇପାରିବ ବୋଲି କହିଛନ୍ତି।