ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ପ୍ରଭାବିତ ହୋଇଛନ୍ତି କରଦାତା। ଫଳରେ ସରକାର ଆୟକର ଦାଖଲର ସମୟସୀମା ବୃଦ୍ଧି କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ଦାଖଲ କରିବାର ସମୟ ସୀମାକୁ ସରକାର ୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବ୍ୟକ୍ତିଗତ ଆୟକର ଦାଖଲ କରିବାର ଅନ୍ତିମ ତାରିଖକୁ ୩୦, ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ କମ୍ପାନୀମାନଙ୍କ ପାଇଁ ଏହି ସମୟ ସୀମାକୁ ୩୦, ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି) ଏକ ବିଜ୍ଞପ୍ତି ଜାରିକରି କହିଛି।
ଯେଉଁମାନଙ୍କ ଆକାଉଣ୍ଟ ଅଡିଟ ଯୋଗ୍ୟ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଅକ୍ଟୋବର ୩୧କୁ ବୃଦ୍ଧି କରାଯାଇଛି। ବିଳମ୍ବିତ କିମ୍ବା ସଂଶୋଧିତ ରିଟର୍ଣ୍ଣ ଦାଖଲ କରିବା ପାଇଁ ଧାର୍ଯ୍ୟ ତାରିଖ ୩୦ ଜାନୁଆରୀ ୨୦୨୨ ରହିବ ବୋଲି ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ ବ୍ୟକ୍ତିଗତ କରଦାତା ଯେଉଁମାନଙ୍କ ଆୟ ଅଡିଟ ଯୋଗ୍ୟ ନୁହେଁ ସେମାନଙ୍କ ପାଇଁ ଆଇଟିଆର୍-୧ ଓ ଆଇଟିଆର୍-୪ ଦାଖଲ କରିବାର ଅନ୍ତିମ ତାରିଖ ୩୧ ଜୁଲାଇ ଓ ଅଡିଟ ଯୋଗ୍ୟ କମ୍ପାନୀ ତଥା ବିଭିନ୍ନ ଫାର୍ମମାନଙ୍କ ପାଇଁ ଆୟକର ଦାଖଲ କରିବାର ଅନ୍ତିମ ତାରିଖ ୩୧ ଅକ୍ଟୋବର ଧାର୍ଯ୍ୟ କରାଯାଇଥିଲା।