ମାଡ଼ିଆସୁଛି ‘ୟସ୍’: ୨୪ରେ ବାତ୍ୟା ରୂପ ନେବ, ୨୫କୁ ବର୍ଷା, ୨୬ରେ ତାଣ୍ଡବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାକୁ ଲାଗି ରହିଛି ବାତ୍ୟା ବିତ୍ପାତ। ଚଳିତ ବର୍ଷ ମଧ୍ୟ ମେ’ ମାସରେ ଓଡ଼ିଶାରେ ବାତ୍ୟା ସମ୍ଭାବନା ପ୍ରକାଶ ପାଇଛି। ଇଣ୍ଡିଆନ୍ ନ୍ୟାସ୍ନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ (ଆଇଏନସିଓଆଇଏସ୍)ର ମଡେଲ ଅନୁଯାୟୀ, ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟସ୍’ ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପନେବ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ସେହିପରି ଆଉ ଏକ ଜଣାଶୁଣା ପ୍ରତିଷ୍ଠାନ ୟୁରୋପିଆନ୍ ସେଣ୍ଟର ଫର୍ ମିଡିଅମ୍ ରେଞ୍ଜ ୱେଦର ଫୋରକାଷ୍ଟ (ଇସିଏମ୍ଡବ୍ଲୁଏଫ୍) ମଧ୍ୟ ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ନେଇ ପ୍ରତିକ୍ରିୟା ରଖିଛି। ବାତ୍ୟା ୟସ୍ ବାଲେଶ୍ୱର ଆଖପାଖରେ ସ୍ଥଳଭାଗ ଛୁଇଁପାରେ ବୋଲି ଇସିଏମ୍ଡବ୍ଲୁଏଫ୍ ପୂର୍ବାନୁମାନ କରିଛି। ଫଳରେ ଏବେ ଉତ୍ତର ଓଡ଼ିଶାର ଉପକୂଳବାସୀଙ୍କୁ ବାତ୍ୟା ଭୟ ଘାରିଛି।

ଏହି କ୍ରମରେ ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ୨୫ ତାରିଖରୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନ ବହିବ। ସେହିପରି ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ସମୁଦ୍ର ଭିତରକୁ ନ ଯିବାକୁ ଆଇଏମ୍ଡି ପକ୍ଷରୁ ପୂର୍ବରୁ ସତର୍କ କରାଇ ଦିଆଯାଇଥିବା ସେ କହିଛନ୍ତି।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ୟସ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ସେ କହିଛନ୍ତି, ବାତ୍ୟାର ରୂପରେଖ ନେଇ ଅନିଶ୍ଚିତତା ରହିଥିଲେ ମଧ୍ୟ ବଙ୍ଗୋପସାଗର ଜଳପତନର ତାପମାତ୍ରା ଅଧିକ (୩୦-୩୧ ଡିଗ୍ରୀ ସେଲ୍ସିଅସ୍) ଥିବାରୁ ଏହା ଦ୍ରୁତ ଗତିରେ ଘନିଭୂତ ହେବ। ବାଲେଶ୍ୱର ଠାରୁ ଦୀଘା ମଧ୍ୟରେ ବାୟୁମଣ୍ଡଳର ପରିସ୍ଥିତି ସ୍ଥଳଭାଗ ଛୁଇଁବା ପାଇଁ ଅନୁକୂଳ ରହିଛି। ସମ୍ଭାବ୍ୟ ଗତିପଥ ବିଶ୍ଳେଷଣରୁ ଜଣାପଡ଼ୁଛି ଯେ, ବାତ୍ୟାର କେନ୍ଦ୍ରରେ ବାୟୁର ଚାପ ୯୮୦ ମିଲିବାର ପର୍ଯ୍ୟନ୍ତ ପହଞ୍ଚିପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟତା ବାତ୍ୟାକୁ ସହଯୋଗ କରିବ ବୋଲି ଆକଳନ କରାଯାଇଥିବା ଶ୍ରୀ ପଶୁପାଳକ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ଗୁରୁବାର ୧୧ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ସମ୍ବଲପୁରରେ ସର୍ବାଧିକ ପାରଦ ୪୧.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଆସନ୍ତାକାଲି ରାଜ୍ୟର ୧୯ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା ରହିଛି। ଫଳରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ମିଳିଛି।