ଭାଇରସ ରୂପ ବଦଳାଉଥିବାରୁ ମୁକାବିଲା ପାଇଁ ଭିନ୍ନ ଭିନ୍ନ ରଣନୀତିର ଆବଶ୍ୟକତା ରହିଛି: ମୋଦୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ସମେତ ଉକ୍ତ ରାଜ୍ୟର ୫୪ଜଣ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ମୋଦୀ କହିଛନ୍ତି ଯେ, ମହାମାରୀ ଭଳି ବିପଦର ସାମ୍ନା କରିବା ପାଇଁ ସମ୍ବେଦନଶୀଳତା ଓ ମନୋବଳର ଆବଶ୍ୟକତା ରହିଥାଏ। ଆମକୁ ଗାଁ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଥିସହିତ ସମସ୍ତ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାଧିକାରୀମାନଙ୍କୁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, ସଂକ୍ରମଣ ଶୂନ୍ୟସ୍ତରରେ ଥିଲେ ବି ଆମକୁ ସତର୍କ ରହିବାକୁ ହେବ। ଏ ଭାଇରସ ରୂପ ବଦଳାଇବାରେ ଖୁବ୍ ପାରଙ୍ଗମ। ସେଥିପାଇଁ ଆମକୁ ମଧ୍ୟ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରି ଏହାର ସାମ୍ନା କରିବାକୁ ପଡ଼ିବ। ଆମକୁ ଭ୍ୟାକ୍ସିନ ଅପଚୟକୁ ମଧ୍ୟ ରୋକିବାକୁ ପଡ଼ିବ। ଗୋଟିଏ ଭ୍ୟାକ୍ସିନ ନଷ୍ଟ ହେବାର ଅର୍ଥ ଜଣଙ୍କୁ ସୁରକ୍ଷା କବଚରୁ ବଂଚିତ କରିବା। ଦ୍ୱିତୀୟ ଲହର ଯୁବକ ଓ ପିଲାଙ୍କୁ ସଂକ୍ରମିତ କରୁଛି। ଏଥିପାଇଁ ଆମ ସମସ୍ତଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ।