ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମର କଲେଜ ଛକଠାରେ ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣେ ଅପରିଚିତ ମାନସିକ ରୋଗୀଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ହେଲେ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ଲାଗି ରାସ୍ତାରେ ପଡ଼ିଥିବା ମୃତଦେହକୁ ଉଠାଇବାକୁ ସ୍ଥାନୀୟ ଅଞ୍ଚଳର କୌଣସି ଲୋକ ରାଜି ହୋଇନଥିଲେ। ଏପରିକି ଘଟଣାସ୍ଥଳକୁ ଯାଇଥିବା ପୁଲିସ କର୍ମଚାରୀମାନେ ମଧ୍ୟ ମୃତଦେହ ଉଠାଇବାକୁ ପଛଘୁଞ୍ଚା ଦେଇଥିଲେ। ଏହା ଦେଖି ଘଟଣାର ତଦନ୍ତ ପାଇଁ ଯାଇଥିବା ଦେବଗଡ଼ ଥାନାର ୨ ପୁଲିସ ଅଧିକାରୀ ବୁଦ୍ଧରାୟ ମାଝୀ ଓ ପ୍ରତାପ.ମଣ୍ଟୁ ଦଳେଇ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ରାସ୍ତାରେ ପଡ଼ିଥିବା ମୃତଦେହକୁ ଉଠାଇ ଏକ ଅଟୋରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଆଜି ଉକ୍ତ ଅଚିନ୍ହା ମୃତଦେହ ବ୍ୟବଛେଦ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ୨ ଯୁବ ପୁଲିସ ଅଧିକାରୀଙ୍କ ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଥିବାବେଳେ ସେମାନଙ୍କ ଏଭଳି କାର୍ୟ୍ୟଶୈଳୀ ଦେଖଣାହାରୀ ସାଜି ସେଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।