ପୁଣି ପୁଲିସ ପରିଚୟ ଦେଇ ବୃଦ୍ଧାଙ୍କ ଠାରୁ ନେଇଗଲେ ୬ ତୋଳା ସୁନା

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ସହରରେ ଗତ ଦେଢ଼ବର୍ଷ ମଧ୍ୟରେ ପୁଲିସ ପରିଚୟ ଦେଇ ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଲୁଟ ଘଟଣା ଘଟାଇଥିବା ବେଳେ ଗତକାଲି ପୁଣି ନକଲି ପୁଲିସର ପରିଚୟ ଦେଇ ଲୁଟେରାମାନେ ଜଣେ ବୃଦ୍ଧାଙ୍କଠାରୁ ୬ ତୋଳା ଓଜନର ସୁନା ଚେନ ନେଇଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପୁଲିସର ଜୋରଦାର ଖୋଳତାଡ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ଯାଏଁ ଲୁଟେରାମାନଙ୍କ କୌଣସି ସୂଚନା ମିଳିନାହିଁ। ଲୁଟର ଶିକାର ବୃଦ୍ଧା ଜଣକ ଛତ୍ରପୁୂର ଅଞ୍ଚଳର। ଗତକାଲି ସେ ସ୍ଥାନୀୟ ଉତ୍କଳ ସିନେମା ହଲଠାରୁ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଦେଇ ଯାଉଥିବା ବେଳେ ସେଠାରେ ଦୁଇଜଣ ଦୁର୍ବୃତ୍ତ ପୁଲିସର ପରିଚୟ ଦେଇ ତାଙ୍କୁ ସୁନା ପିନ୍ଧିଥିବା ନେଇ ତାଗିଦ କରିଥିଲେ। ତୁରନ୍ତ ଏହାକୁ ଆମକୁ ଦେଇ ଦିଅନ୍ତୁ ନଚେତ ଜୋରିମାନା ଲାଗିବ ବୋଲି କହିଥିଲେ। ବୃଦ୍ଧା ପିନ୍ଧିଥିବା ୬ତୋଳା ଓଜନର ସୁନା ଅଳଙ୍କାରଟି ସେମାନଙ୍କୁ ଦେଇଦେଇଥିଲେ। ତତକ୍ଷଣାତ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ବୃଦ୍ଧା ବଡ଼ବଜାର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ସୋମବାର ଏହି ଘଟଣା ଘଟାଇବା ପୂର୍ବରୁ ଲୁଟେରାମାନେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଏବଂ ପଲାସାରେ ଅନୁରୂପ ଭାବରେ ଘଟଣା ଘଟାଇ ବ୍ରହ୍ମପୁର ଆସିଥିବା ଅନୁମାନ କରାଯାଉଛି। ଆନ୍ଧ୍ରପ୍ରଦେଶରେ ଏହି ଲୁଟେରାମାନେ ସମାନ ଢ଼ଙ୍ଗରେ ୧୦ରୁ ଊଦ୍ଧ୍ୱର୍ ଘଟଣା ଘଟାଇଥିବା ବେଳେ ବ୍ରହ୍ମପୁର ସହରରେ ୧୦ଟି ଘଟଣା ଘଟାଇଛନ୍ତି। ଏହି ଲୁଟେରାମାନଙ୍କୁ ଆନ୍ଧ୍ର କିମ୍ବା ବ୍ରହ୍ମପୁର ପୁଲିସ କେହି ଧରି ପାରୁନାହାନ୍ତି। ତେବେ ଏହି ଗୋଷ୍ଠୀଙ୍କ ଉପରେ ପୁଲିସର ନଜର ପଡିସାରିଛି। ଏମାନେ କର୍ଣ୍ଣାଟକ ଅଞ୍ଚଳର ଇରାନୀ ଗ୍ରୁପର ଲୁଟେରା ବୋଲି ପୁଲିସ ସନ୍ଦେହ କରୁଛି। ଉଭୟ ଆନ୍ଧ୍ର ଏବଂ ବ୍ରହ୍ମପୁର ପୁଲିସର ମିଳିତ ଉଦ୍ୟମରେ ଲୁଟେରାମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ତୁରନ୍ତ ଏମାନଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଜୁଲାଇ ୫ ତାରିଖରେ ଏହିପରି ଏକ ଘଟଣା ଘଟିବା ପରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଘଟଣାର ତଦନ୍ତ କରାଯିବା ସହ ବିଭିନ୍ନ ଥାନାକୁ ଏଲର୍ଟ କରାଯାଇଥିଲା। ଏପରିକି ପୁଲିସ ପକ୍ଷରୁ ସହରର ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ପାଇଁ ଲିଫଲେଟ ମଧ୍ୟ ବଣ୍ଟା ଯାଇଥିଲା। ତେବେ ଏହି ଗ୍ୟାଙ୍ଗ କେବଳ ବ୍ରହ୍ମପୁର ସହର ନୁହେଁ ବିଭିନ୍ନ ରାଜ୍ୟର ବିଭିନ୍ନ ସହରରେ ଏହିପରି ଘଟଣାମାନ କରି ଚାଲିଛନ୍ତି। କୌଣସି ରାଜ୍ୟର ପୁଲିସ ଦ୍ୱାରା ଏହି ଲୁଟେରାମାନେ ଧରାପଡି ନାହାନ୍ତି। ବର୍ତ୍ତମାନ ଆନ୍ଧ୍ର ଏବଂ ବ୍ରହ୍ମପୁର ପୁଲିସ ପକ୍ଷରୁ ମିଳିତ ଉଦ୍ୟମ କରାଯାଇ ଏହି ଗ୍ୟାଙ୍ଗକୁ ଧରାଯିବ ବୋଲି କୁହାଯାଇଛି ।