ପେନସନ୍ ଅପେକ୍ଷାରେ ୯୦ ବର୍ଷୀୟା ଯବାନଙ୍କ ସ୍ତ୍ରୀ

ଜି.ଉଦୟଗିରି,ଫୁଲବାଣୀ,ଏନ୍ଏନ୍ଏସ୍: ଦେଶ ସୀମାନ୍ତରେ ଯବାନମାନେ ଅହରଣ ସୁରକ୍ଷା ଦେଉଥିବା ଯୋଗୁଁ ସମଗ୍ର ଦେଶରେ ନିଜକୁ ସୁରକ୍ଷିତ ମନେ କରୁଛି। ଯବାନ ମାନଙ୍କ ସୁରକ୍ଷା ଯୋଗୁଁ ଆମେ ଘରେ ରାତିରେ ଶାନ୍ତିରେ ଶୋଇ ପାରୁଛେ। ତେବେ ଯେଉଁ ଯବାନଙ୍କ ଯୋଗୁଁ ଆମେ ସୁରକ୍ଷିତ ରହିପାରୁଛେ , ସେଭଳି ଜଣେ ଅବସରପ୍ରାପ୍ତ ଯବାନଙ୍କ ସ୍ତ୍ରୀ ସରାନ୍ତି ପ୍ରଧାନ (୯୦)ଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ ପେନସନ୍। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ଦୁଗୁଡ଼ିପାଲି ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ଉକ୍ତ ଗ୍ରାମର ବଡ଼ି ପ୍ରଧାନ ଗତ ୧୯୩୧ ମସିହାରେ ସିପାହୀ ଭାବେ ଭାରତୀୟ ସେନାରେ ଯୋଗଦେଇଥିଲେ। ଯବାନ ଜଣକ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସଂକ୍ରୟ ଅଂଶ ଗ୍ରହଣ କରିବା ସହିତ ୧୯୯୪ ମସିହାରେ ସେ ଅବସର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ତାଙ୍କର ଧର୍ମପନ୍ତ୍ରୀ ସରାନ୍ତି ପ୍ରଧାନ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ଥିଲେ ମଧ୍ୟ ତାଙ୍କୁ ପେନସନ ମିଳିପାରି ନାହିଁ । ଏନେଇ ତାଙ୍କ ପୁଅ ବିନାୟକ ପ୍ରଧାନ ରାଜ୍ୟ ସୈନିକ ବୋର୍ଡ, ଜିଲ୍ଲା ସୈନିକ ବୋର୍ଡ଼ ଭବାନୀପାଟଣା ଓ ଜି.ଉଦୟଗିରି ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସୁଫଳ ମିଳିନାହିଁ। ଏଭଳି ସ୍ଥଳେ ଜି.ଉଦୟଗିରି ପୂତପୂର୍ବ ସୈନିକ ସଂଘ ହସ୍ତକ୍ଷେପ କରି ପେନସନ୍ ମିଳିବାରେ ସହଯୋଗ ପାଇଁ ବିନାୟକ ନିବେଦନ କରିଛନ୍ତି।