ମହାମାରୀରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ପାଇଁ ମାଗଣା ଶିକ୍ଷା

ଭୋପାଳ, ଏଜେନ୍ସି: କୋଭିଡ୍ ମହାମାରୀରେ ବହୁ ଶିଶୁ ପିତାମାତା ହରାଇ ଅନାଥ ହୋଇଯାଇଛନ୍ତି। ମଧ୍ୟପ୍ରଦେଶରେ ଏଭଳି ଅନାଥ ପିଲାମାନଙ୍କ ପାଇଁ ମାଗଣାରେ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାର। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏମାନେ ପିତାମାତାଙ୍କୁ ହରାଇଲେ ମଧ୍ୟ ଏବେ ରାଜ୍ୟର ସନ୍ତାନ। ରାଜ୍ୟ ଏମାନଙ୍କର ଦାୟିତ୍ୱ ବହନ କରିବ। ଏହି ଅନାଥ ପିଲାମାନେ ମାଗଣାରେ ରାସନ ସାମଗ୍ରୀ ପାଇବାକୁ ଯୋଗ୍ୟ ହୋଇନଥିଲେ ମଧ୍ୟ ସେମାନଙ୍କ ଲାଗି ତାହା ଯୋଗାଇ ଦିଆଯିବ। ମହାମାରୀରେ ଯେଉଁମାନେ ରୋଜଗାର ହରାଇଛନ୍ତି, ସେମାନଙ୍କ ଦାୟିତ୍ୱ ସରକାରଙ୍କ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ମହାମାରୀରେ ବହୁ ବରିଷ୍ଠ ନାଗରିକ ସେମାନଙ୍କର ରୋଜଗାରକ୍ଷମ ସନ୍ତାନଙ୍କୁ ହରାଇଛନ୍ତି। ଏବେ ସେମାନଙ୍କର ଯତ୍ନ ନେବା ପାଇଁ କେହି ନଥିବାରୁ ସେମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଆମେ ଏଭଳି ଲୋକଙ୍କୁ ଏକୁଟିଆ କରିଦେବାକୁ ଚାହୁଁନାହୁଁ ଏବଂ ସେମାନଙ୍କର ଦାୟିତ୍ୱ ଏବେ ସରକାରଙ୍କର। ଏହି ପରିପ୍ରେକ୍ଷୀରେ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଅନାଥ ଶିଶୁ ଓ ସନ୍ତାନ ହରାଇଥିବା ବରିଷ୍ଠ ନାଗରିକଙ୍କ ପାଇଁ ଏଭଳି ଯୋଜନା ଲାଗୁ କରିବାରେ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ।