କରୋନା କାଳରେ ଭାରତକୁ ବିଦେଶରୁ ସମର୍ଥନ: ଇଣ୍ଡୋନେସିଆରୁ ମିଳିଲା ମେଡିକାଲ ସହଯୋଗ

ନୂଆଦିଲ୍ଲୀ,ଏଜେନ୍ସି: କରୋନାର ୨ୟ ଲହର ଯୋଗୁଁ ଭାରତରେ ସଂକ୍ରମଣ ବଢ଼ିଚାଲିଛି। ଏହି ସଂକଟର ମୁକୁଳିବା ପାଇଁ କେନ୍ଦ୍ର ସରକାର ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ବିଦେଶୀ ରାଷ୍ଟ୍ର ଗୁଡ଼ିକ ଯଥା ସମ୍ଭବ ଭାରତକୁ ସହଯୋଗ ଯୋଗାଉଛନ୍ତି। ଆମେରିକା, ବ୍ରିଟେନ୍‌, ଋଷିଆ, ଫ୍ରାନ୍ସ ଭଳି ବିକଶିତ ରାଷ୍ଟ୍ର ଗୁଡ଼ିକ ଭାରତକୁ ଅକ୍ସିଜେନ ସିଲିଣ୍ଡର, ପିପିଇ କିଟ୍‌, ଭେଣ୍ଟିଲେଟର ତଥା ଅନ୍ୟ ମେଡିକାଲ ସାମଗ୍ରୀ ଯୋଗାଇ ଦେଉଛନ୍ତି।

ଇଣ୍ଡୋନେସିଆରୁ ଭାରତ ୨୦୦ ଅକ୍ସିଜେନ କନ୍‌ସେଣ୍ଟ୍ରାଟର ଗ୍ରହଣ କରିଛି। ଗୁରୁବାର ଭୋର ସକାଳୁ ଏହି ମେଡିକାଲ ସାମଗ୍ରୀ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଭାରତୀୟ ବାୟୁ ସେନା ପୂର୍ବରୁ ଇଣ୍ଡେନେସିଆର ଜାକର୍ତ୍ତାରୁ ଅକ୍ସିଜେନ କନ୍‌ସେଣ୍ଟ୍ରାଟର ନେଇ ଭାରତ ଆସିଥିଲା।

ଏହାରି ମଧ୍ୟରେ ଫ୍ରାନ୍ସ ରାଜଦୂତ ଇମାନୁଏଲ ଲେନାଇନ ସୂଚନା ଦେଇଛନ୍ତି ଭାରତକୁ ୪୦ ଟନ ଅକ୍ସିଜେନ ବୁଧବାର ଦିଆଯାଇଛି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି ଯେ, ଫ୍ରାନ୍ସର ଏୟାର ଲିକ୍ୟୁଇଡ ଗ୍ରୁପ ଦ୍ୱାରା ପଠାଯାଇଥିବା ଅକ୍ସିଜେନ ମୁମ୍ବାଇରେ ପହଞ୍ଚିଛି। ଜର୍ମାନୀ, ଗ୍ରୀସ ଫିନଲ୍ୟାଣ୍ଡରରୁ ମଧ୍ୟ ଭାରତକୁ ମେଡିକାଲ ସାମଗ୍ରୀ ଆସିଛି।