ଇସ୍ରାଏଲ ଓ ଗାଜାମଧ୍ୟରେ ରକେଟ ଆକ୍ରମଣ ଜାରି, ଦୁଇ ଦେଶରେ ୭୨ ନାଗରିକ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଜାରି ରହିଥିବା ଗଣ୍ଡଗୋଳ ବହୁ ପୁରୁଣା। କିନ୍ତୁ ଗତ ସପ୍ତାହରେ ପାଲେଷ୍ଟାଇନ୍ ସଂଗଠନ ହମାସ ଏବଂ ଜେରୁସେଲମ ମଧ୍ୟରେ ହୋଇଥିବା ହିଂସା ସମଗ୍ର ବିଶ୍ୱକୁ ଚକିତ କରିପକାଇଛି। ପାଲେଷ୍ଟାଇନର ରକେଟ ଆକ୍ରମଣରେ ଏପର୍ଯ୍ୟନ୍ତ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ଗାଜାରେ ୬୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲରେ ୭ ଜଣ ନାଗରିକ ପ୍ରାଣ ହରାଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗାଜା ଉପରେ ଲଗାତାର ରକେଟ ଆକ୍ରମଣ ଚାଲିଛି। ଗାଜା ସିଟି କମାଣ୍ଡର ବାସେମ ଇସସାଙ୍କ ରକେଟ ଆକ୍ରମଣରେ ମୃତ୍ୟୁ ହୋଇଛି। ଗାଜାରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ଏଥିରେ ୧୬ ଜଣ ଶିଶୁ ଏବଂ ୫ ଜଣ ମହିଳା ମଧ୍ୟ ଅଛନ୍ତି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ରକେଟ ଆକ୍ରମଣରେ ମୋଟ ୩୬୫ ଜଣ ଗୁରୁତର ହୋଇଛନ୍ତି। ଏଥିରେ ୮୬ ଜଣ ଶିଶୁ ଏବଂ ୩୯ ଜଣ ମହିଳା ମଧ୍ୟ ଅଛନ୍ତି। ଏମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଗାଜାର ରକେଟ ମାଡ଼ରେ ଇସ୍ରାଏଲର ଜଣେ ୫ ବର୍ଷୀୟ ଶିଶୁର ମୃତ୍ୟୁ ହେବା ସହିତ ଏହି ସଂଖ୍ୟା ୭କୁ ବୃଦ୍ଧି ପାଇଛି। ବୁଧବାର ରାତି ତେଲ ଅଭିଭ ମେଟ୍ରୋପୋଲିଟାନ ଅଂଚଳ ଏବଂ ସହର ମଧ୍ୟକୁ ରକେଟ ମାଡ଼ ହୋଇଥିବା ଗଣମାଧ୍ୟମ ରିପୋର୍ଟ କରିଛି। ଇସ୍ରାଏଲ ସେନା କହିଛି ଯେ, ୧୮୦ଟି ରକେଟ ମାଡ଼ ହୋଇଛି। ଏଥିରୁ ୪୦ଟି ଗାଜାରେ ନିଷ୍କ୍ରିୟ କରିଦିଆଯାଇଛି।