କୋଭିଡ ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛି ଦିଲ୍ଲୀ: କେଜ୍ରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି, କରୋନା ମହାମାରୀ ତୃତୀୟ ଲହରର ସମ୍ମୁଖୀନ ହେବା ପାଇଁ ସରକାର ପ୍ରସ୍ତୁତି ହେଉଛନ୍ତି। ସେଥିପାଇଁ ଦିଲ୍ଲୀକୁ ଅଧିକ ଟିକା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି, ଆମେ ଇତିମଧ୍ୟରେ ଅକ୍ସିଜେନ ବେଡ୍ ସଂଖ୍ୟା ବଢ଼ାଇ ଦେଇଛୁ। ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ସର୍ବାଧିକ ୨୮ ହଜାର ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଟିକା ଅଭାବ ସମ୍ପର୍କରେ ଦର୍ଶାଇ କେଜ୍ରିୱାଲ କହିଛନ୍ତି, ଆମ ପାଖରେ ମାତ୍ର ୩/୪ଦିନ ପାଇଁ ଟିକା ରହିଛି। ସିଧାସଳଖ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ଅର୍ଡର ଦିଆଯାଇଛି। କେନ୍ଦ୍ର ସରକାର ଖୁବ୍ଶୀଘ୍ର ଟିକା ଯୋଗାଇଦେବେ ବୋଲି ଆଶା କରାଯାଉଛି। କାରଣ ଆମେ ଏ ସଂକ୍ରାନ୍ତରେ କେନ୍ଦ୍ରକୁ ଚିଠି ପାଇଛୁ ବୋଲି କେଜ୍ରିୱାଲ କହିଛନ୍ତି। ଏଥିପୂର୍ବରୁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କେଜ୍ରିୱାଲଙ୍କ ସହ ବିଭିନ୍ନ କୋଭିଡ୍ କେୟାର ସେଣ୍ଟର ବୁଲି ଦେଖିଥିଲେ।