ଆଜିଠୁ ହରିୟାଣାରେ ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି

ଚଣ୍ଡିଗଡ,ଏଜେନ୍ସି: ଦେଶରେ ସଂକ୍ରମଣରେ ବ୍ରେକ ଲାଗିବାର ନାଁ ନେଉନାହିଁ। ହୁ ହୁ ବଢିଚାଲିଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ହରିୟାଣାରେ ଲକଡାଉନ ଅବଧିକୁ ବଢାଇ ଦିଆଯାଇଛି। ଆଜିଠାରୁ ମେ’ ୧୭ ଯାଏଁ ଲକାଡାଉନ ଅବଧିକୁ ବଢାଇଛନ୍ତି ହରିୟାଣା ସରକାର। ଲକଡାଉନ ସମୟକୁ ‘ସୁରକ୍ଷିତ ହରିୟାଣା’ ଭାବରେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

କରୋନା ମହାମାରୀର ଦ୍ରୁତ ସଂକ୍ରମଣ ପାଇଁ ହରିୟାଣାରେ ଆଉ ଗୋଟିଏ ସପ୍ତାହ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଆଜି ସକାଳୁ ମେ’ ୧୭ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟକୁ ମହାମାରୀ ଆର୍ଲଟ- ସୁରକ୍ଷିତ ହରିୟାଣା ଭାବରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ବିବାହ ଓ ଅନ୍ତିମ ସଂସ୍କାରରେ ୧୧ ଜଣରୁ ଅଧିକ ଲୋକ କୌଣସି ସ୍ଥାନରେ ଏକତ୍ରିତ ହୋଇପାରିବେ ନାହିଁ। ସର୍ବାଧିକ ୧୧ ଜଣଙ୍କୁ ନେଇ ଘରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଅନୁମତି ମିଳିଛି।

ନିୟମ ନମାନିଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ। ପୂର୍ବରୁ ମେ’ ୩ରୁ ମେ’ ୧୦ ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଥିଲା। ପ୍ରକାଶ ଥାଉ କି, ଗତ ୨୪ ଘଣ୍ଟାରେ ହରିୟାଣାରେ ୧୩,୪୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୧ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ହରିୟାଣାରେ ୬ ଲକ୍ଷ ୧୫ ହଜାର ୮୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି।