ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା: ଦୁଷ୍କର୍ମ ଅଭିଯୋଗରେ ସେବା ସମବାୟ ସମିତି ସହସମ୍ପାଦକ ଅଟକ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ ପୁଲିସ ଅଟକ ରଖିଛି। ସମ୍ପୃକ୍ତ ଅଭିଯୁକ୍ତ ଯୁବକ କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ପୁଲିସ ଅଭିଯୁକ୍ତକୁ ଗୃହ ସଙ୍ଗରୋଧରେ ରଖିଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ ଖଜୁରୀଖମଣ ସେବା ସମବାୟ ସମିତିରେ ସହ ସମ୍ପାଦକ ଭାବେ କାର୍ଯ୍ୟକରୁଥିବା ରତ୍ନାକାର ମହାନ୍ତ (୩୪)ଦୀର୍ଘ ଦିନ ଧରି ଜଣେ ୨୭ ବର୍ଷୀୟା ବିବାହିତା ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରି ଆସୁଥିଲେ। ଏନେଇ ବିବାହିତା ମହିଳାଙ୍କ ସ୍ୱାମୀ ପୂର୍ବରୁ ବାରକୋଟ ଥାନାରେ ଅଭିଯୋଗ କରିଥିଲେ। ତେବେ ପରେ ଏଭଳି କାର୍ଯ୍ୟରୁ ନିବୃତ ରହିବା ନେଇ ଥାନାରେ ଚୁକ୍ତିନାମା ପରେ ଘରକୁ ଯାଇଥିଲେ । ମାତ୍ର ଏହି ସମ୍ପର୍କ ପୂର୍ବ ପାରି ଜାରି ରହିଥିଲା ।

ଏହି କ୍ରମରେ ଗତ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ମହିଳାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ରତ୍ନାକାର ମହିଳାଙ୍କ ଘରକୁ ଆସିଥିବାବେଳେ ମହିଳାଙ୍କ ପରିବାର ଲୋକେ କାବୁକରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରତ୍ନାକରକୁ ଉଦ୍ଧାର କରି ପଚରାଉଚୁରା ପାଇଁ ଥାନାକୁ ଆଣିଥିଲା। ଏନେଇ ଗତକାଲି ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ରତ୍ନାକର ତାଙ୍କ ସ୍ୱାମୀଙ୍କ ବିରୋଧରେ ବିଭିନ୍ନ କଥା କହି ତାଙ୍କୁ ପ୍ରେମଜାଲରେ ଫସାଇ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ବିବାହ କରିବାକୁ ରାଜି ହୋଇନଥିଲେ। ଏନେଇ ମହିଳା ଜଣକ ରତ୍ନାକରଙ୍କ ବିରୋଧରେ ବାରକୋଟ ଥାନାରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି।