ରାଞ୍ଚି,ଏଜେନ୍ସି: ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ। ମହାମାରୀକୁ ନେଇ ଆତଙ୍କିତ ସଭିଏଁ। ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ ଗାଇଡଲାଇନ ଜାରି କରାଯାଇଥିବା ବେଳେ କେତେକ ରାଜ୍ୟ ସରକାର ନିଜ ରାଜ୍ୟରେ ଲକଡାଉନ କଟକଣାକୁ ମଧ୍ୟ କଡାକଡି କରିଛନ୍ତି। ଏହି କ୍ରମରେ ଝାଡଖଣ୍ତ ସରକାର ନିଜ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ କଟକଣାକୁ ବୃଦ୍ଧି କରିଛନ୍ତି।
ପ୍ରଥମେ ଏହି କଟକଣା ଏପ୍ରିଲ ୨୨ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରେ ଏହା ମେ’ ୬ ତାରିଖ ଯାଏଁ ଅବଧିକୁ ବୃଦ୍ଧି କରାଯାଇଥିଲା। ହେଲେ ରାଜ୍ୟରେ କୋଭିଡ ମାମଲା ଥମିବାର ନା ନେଉନାହିିଁ। ଫଳରେ ଲକଡାଉନକୁ ପୁଣି ମେ’ ୧୩ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କଟକଣା ସମୟରେ କେତେକ ନିତି ନିୟମକୁ କୋହଳ କରିଛନ୍ତି ଝାଡଖଣ୍ତ ସରକାର। ଲକଡାଉନ ସମୟରେ ସରକାରୀ କାର୍ଯ୍ୟାଳୟ ଗୁଡିକ ସାଧାରଣତଃ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ। ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ଦିନ ୩ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଯାତାୟାତ କରିପାରିବେ।
ସେପଟେ, କୌଣସି ସଭାସମିତିରେ ୫ରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ। ଏହାସହ ବିବାହ କାର୍ଯ୍ୟରେ ୫୦ ଓ ଅନ୍ତିମ ସଂସ୍କାର କାର୍ଯ୍ୟରେ ୩୦ରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଜିମ, ସିନେମା ହଲ, ସପିଂ ମଲ, ସୁଇମିଂ ପୁଲ ଓ ପାର୍କ ଆଦି ବନ୍ଦ ରହିବ। ସେହିପରି ଧର୍ମାନୁଷ୍ଠାନ ଖୋଲା ରହିବ କିନ୍ତୁ କମ ସଂଖ୍ୟକ ଭକ୍ତ ମନ୍ଦିରକୁ ପ୍ରବେଶ କରିପାରିବେ।