ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ସୋପିଆନ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର,ଏଜେନ୍ସି: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। କନିଗାମ ଅଞ୍ଚଳରେ ଆଜି ଭୋର ସକାଳୁ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଯବାନମାନେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। କୁହାଯାଉଛି ଯେ, ଆତଙ୍କବାଦୀ ସଂଗଠନ ‘ଅଲ-ବଦ୍ର’ର ୪ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀର ଯବାନମାନେ ଘେରିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ୪ ଜଣ ଆତଙ୍କବାଦୀଙ୍କୁ ଘେରିବା ପରେ ପୁଲିସ ଓ ସୁରକ୍ଷାବାହିନୀର ଯବାନମାନେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପ୍ରଥମେ ଉଦ୍ୟମ କରିଥିଲେ। ଏଥିରୁ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲା। ମାତ୍ର ଅନ୍ୟମାନେ ଏହା କରି ନଥିଲେ। ଶେଷରେ ୩ ଜଣ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବନ୍ଧୁକ, ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ହେଲା ତୌସୀଫ ଅହମ୍ମଦ।