ପଶ୍ଚିମବଙ୍ଗରେ ଲୋକାଲ ଟ୍ରେନ୍ ବାତିଲ

କୋଲକାତା, ଏଜେନ୍ସି: ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାର କିଛି ସମୟ ମଧ୍ୟରେ ମମତା ବାନାର୍ଜୀ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଏକାଧିକ କଟକଣା ଲାଗୁ କରିଛନ୍ତି। ତଦନୁଯାୟୀ ଗୁରୁବାରଠାରୁ ରାଜ୍ୟରେ ସମସ୍ତ ଲୋକାଲ ଟ୍ରେନ୍ ସେବାକୁ ବାତିଲ କରାଯାଇଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଆସୁଥିବା ବାହାର ରାଜ୍ୟର ଲୋକଙ୍କୁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଶୁକ୍ରବାରଠାରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ। ତେବେ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଜାରି କରାଯିବ ନାହିଁ ବୋଲି ମମତା ସ୍ପଷ୍ଟ କରିଛନ୍ତି। ତୃତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ମମତା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବା ତାଙ୍କର ପ୍ରାଥମିକତା ପାଲଟିଛି। ରାଜ୍ୟରେ ଅଧିକ ସଂଖ୍ୟକ କୋଭିଡ୍ ପରୀକ୍ଷା ଓ ବ୍ୟାପକ ଟିକାକରଣ ପ୍ରସଙ୍ଗ ନେଇ ମମତା ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିବା କହିଛନ୍ତି।