ଝିଅ ହାତରୁ ପାଣିପିଇ ଆଖିବୁଜିଲା ବାପା

କୋଭିଡ ଆକ୍ରାନ୍ତ ବୋଲି ଛୁିଁବାକୁ ଦେଉନଥିଲେ 

ଶ୍ରୀକାକୁଲମ, ଏଜେନ୍ସି: କରୋନାକୁ ନେଇ ସୋସିଆଲ ମିଡିଆରେ ପ୍ରତିଦିନ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସୁଛି। ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଥିବାକୁ ମିଳିଛି ଯେ, କୋଭିଡ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଜୀବନର ଶେଷ ନିଶ୍ୱାସ ନେଉଛନ୍ତି। ପରିବାର ଲୋକେ ପାଖରେ ଥିଲେ ମଧ୍ୟ ଏହି ଅଦୃଶ୍ୟ ଭୂତାଣୁ ଭୟରେ ପାଖ ମାଡୁନାହାଁନ୍ତି। ହେଲେ ବାପାଙ୍କ ପାଖକୁ ଯିବାକୁ ଝିଅ ଯିଦ ଧରିଛି। ପରିବାର ଲୋକେ ଯେତେ ଅଟକାଇଲେ ମଧ୍ୟ ଝିଅ ବାପାଙ୍କ ନିକଟକୁ ଆସି ପାଣି ଦେଉଛି। ଏହାପରେ ବ୍ୟକ୍ତି ଜଣକ ଶେଷ ନିଶ୍ୱାସଃ ତ୍ୟାଗ କରିଛନ୍ତି।
ସୂଚନା ଯୋଗ୍ୟ, ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ୫୦ ବର୍ଷୀୟ ଆସିରା ନାଇଡୁଙ୍କ ପରିବାର କୋଭିଡରେ ଆକ୍ରାନ୍ତ ହେବାପରେ ସେ ପୈତୃକ ଗ୍ରାମ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ କୋୟାନାପେଟା ଗ୍ରାମକୁ ଫେରିଆସିଥିଲେ।

ତେବେ ଗ୍ରାମବାସୀମାନେ ସେମାନଙ୍କୁ ବସତିଠାରୁ ଦୂର ବିଲ ମଝିରେ ଥିବା ଏକ କୁଡିଆ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। ତେବେ ମଙ୍ଗଳବାର ନାଇଡୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସେ ଘର ବାହାରେ ହଠାତ୍ ପଡିଯାଇଥିଲେ। ପାଣି ପାଇଁ ବିକଳ ହେଉଥିବା ବାପାଙ୍କ ଏଭଳି ଅବସ୍ଥାରେ ଝିଅ ବ୍ୟତିବ୍ୟସ୍ତ ହୋଇପଡିଥିଲା। ତେବେ ବାପାଙ୍କ ନିକଟକୁ ନଯିବାକୁ ମାଆ ଯେତେ ଆକଟ କରିଥିଲେ ସୁଦ୍ଧା ଝିଅ ଏଥିପ୍ରତି କର୍ଣ୍ଣପାତ କରିନଥିଲା। ଶେଷରେ ଝିଅ ହାତକୁ ପାଣି ମୁନ୍ଦାଏ ପିଇବାପରେ ବାପା ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାପାଙ୍କୁ ମରିବାର ଦେଖି ଝିଅ ମଧ୍ୟରେ ସେଠାରେ ଚେତା ହରାଇ ପଡିଯାଇଥିଲା। ଏହି ହୃଦୟ ବିଦାରକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।