ପଣସ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ମାଛକୁଣ୍ଡ ପୁଲିସ୍ ଏକ ପଣସ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରି ୩ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଅଂଚଳର ଭି.ସତ୍ୟା, ଜି.ଶ୍ରୀଧରନ୍ ଓ ଜି.ଶ୍ରୀମାନ୍। ମାଛକୁଣ୍ଡ ଥାନା ଜଲାପୁଟର ଜବାଗଡ଼ ଗ୍ରାମରୁ ଆନ୍ଧ୍ରକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଏସପି ବରୁଣ ଗୁଣ୍ଟୁପାଲ୍ଲିଙ୍କୁ ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ, ମାଛକୁଣ୍ଡ ଥାନାଧିକାରୀଙ୍କ ନେତୃତ୍ୱରେ ଚୋରା ଗଞ୍ଜେଇ ଧରପଗଡ଼ ପାଇଁ ଟିକାପୁଟ୍ ନିକଟରେ ସମସ୍ତ ଗାଡ଼ି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଏପି-୩୧ଟିବି ୧୩୧୪ ନମ୍ବର ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ମିଳିଥିଲା। ପୁଲିସ୍ ଟ୍ରକରୁ ୧୦୦୮ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ବଜାର ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।