କରୋନା କବଳରେ ଆଇପିଏଲ୍: କୋଲକାତାର ୨ ଖେଳାଳି ସଂକ୍ରମିତ ପରେ ଆଜିର ମ୍ୟାଚ୍ ସ୍ଥଗିତ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ ଦେଶ କରୋନା ମହାମାରୀ ସଂକଟ ଦେଇ ଗତି କରୁଥିବା ବେଳେ ଅନେକଙ୍କ ମୃତ୍ୟୁ ହୋଇଛି। ଏହି ମଧ୍ୟରେ କ୍ରିକେଟ ଖେଳ ଜାରି ରହିଥିବା ବେଳେ ବର୍ତ୍ତମାନ ଖେଳାଳି ମଧ୍ୟ କୋଭିଡ ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଚଳିତ ୧୪ ତମ ଆଇପିଏଲ୍ ସିଜିନ ଚାଲୁ ରହିଥିବା ବେଳେ ଆଜି ଏହାର ୩୦ ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ହେବାକୁ ଥିଲା। ତେବେ ଆଜି କୋଲକାତାର ୨ ଜଣ ଖେଳାଳି କୋଭିଡ ପଜିଟିଭ ଚିହ୍ନଟ ହେବାରୁ ଏହି ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଏଥିସହିତ କୋଲକାତା ଦଳର ଅନ୍ୟ ଖେଳାଳିମାନେ ଆଇସୋଲେସନରେ ରହିଛନ୍ତି।

ଦେଶରେ କରୋନା ମହାମାରୀର ପ୍ରକୋପ ଚାଲିଥିବା ବେଳେ ଆଇପିଏଲ ଆୟୋଜନକୁ ଅନେକ ନା ପସନ୍ଦ କରିବା ସହିତ ସମାଲୋଚନା କରିଥିଲେ। ସୂଚନା ଅନୁସାରେ ଆଇପିଏଲ ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ବାୟୋ ବବଲ ମଧ୍ୟରେ ରଖାଯାଇଥିଲା ଏବଂ ଫଟାଫଟ କ୍ରିକେଟ ମହାସମର ଚାଲିଥିଲା। ଏହା ପରେ ମଧ୍ୟ କୋଲକାତା ନାଇଟ ରାଇଡର୍ସର ୨ ଜଣ ଖେଳାଳି ପଜିଟିଭ ଚିହ୍ନଟ ହେବା ବିସିସିଆଇ ପାଇଁ ଚିନ୍ତାର ବିଷୟ ହୋଇଛି।