ଚଣ୍ଡିଗଡ଼,ଏଜେନ୍ସି: ହରିୟାଣାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସୋମବାରଠାରୁ ୭ଦିନ ପାଇଁ ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି। ରବିବାର ହରିୟାଣାର ଗୃହ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ଶନିବାର ରାଜ୍ୟରେ ୧୩,୫୮୮ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲାବେଳେ ୨୪ଘଣ୍ଟାରେ ୧୨୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୧,୫୬୬କୁ ବୃଦ୍ଧି ପାଇଥିଲାବେଳେ ମୃତ୍ୟୁସଂଖ୍ୟା ୪,୩୪୧ରେ ପହଞ୍ଚିଛି। ଗତ ଏପ୍ରିଲ ୩୦ରେ ହରିୟାଣାରେ ସପ୍ତାହାନ୍ତ ଲକ୍ଡାଉନ୍ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ଏହା ଅନ୍ୟୁନ ୯ଟି ଜିଲ୍ଲା ଯଥା: ପଞ୍ଚକୁଲା, ଗୁରୁଗ୍ରାମ, ଫରିଦାବାଦ, ସୋନିପଥ, ରୋହତଗ, କର୍ଣ୍ଣାଲ୍, ହିସାର୍, ସିର୍ସା ଓ ଫତେହବାଦରେ ଲାଗୁ ହୋଇଥିଲା। ଇତିମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର୍ ସିଧାସଳଖ କୋଭିଡ୍ ପରିଚାଳନା କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି।