ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ ଜଣେ ପ୍ରମୁଖ ନିର୍ବାଚନ ରଣନୀତିକାର ଭାବେ ପରିଚିତ ପ୍ରଶାନ୍ତ କିଶୋର ଅବଶେଷରେ ଏହି କାର୍ଯ୍ୟରୁ ସନ୍ନ୍ୟାସ ନେଉଥିବା ରବିବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ମୋ ସହିତ କାର୍ଯ୍ୟ କରୁଥିବା ଟିମ୍ ଏବେ ଏହି ଦାୟିତ୍ୱ ସମ୍ଭାଳିବେ। ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେବେ କି ବୋଲି ପ୍ରଶ୍ନ ହେବାରୁ ପ୍ରଶାନ୍ତ କିଶୋର କହିଛନ୍ତି, ମୁଁ ରାଜନୀତିରେ ବିଫଳ ହୋଇଛି। ତେବେ ସେ ଆଗକୁ କ’ଣ କରିବେ ସେ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ଗତ ଦଶବର୍ଷ ଭିତରେ ୯ଟି ନିର୍ବାଚନ ସମ୍ପର୍କରେ ତାଙ୍କର ପୂର୍ବାନୁମାନ ଆଠଥର ଠିକ୍ ପ୍ରମାଣିତ ହୋଇଛି। ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବିଜେପି ୨୦୦ରୁ ଅଧିକ ଆସନ ପାଇବ ବୋଲି ଦୃଢ଼ୋକ୍ତି କରିଥିଲା। ଗତ ଡିସେମ୍ବରରେ ସେ କହିଥିଲେ, ପଶ୍ଚିମବଙ୍ଗରେ ବିଜେପି ଆସନ ସଂଖ୍ୟା ଦୁଇ ଅଙ୍କରୁ ଟପିବ ନାହିଁ। ତାହାହିଁ ସତ ହେଲା। ଗତବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ ଆମ୍ ଆଦମୀ ପାର୍ଟିର ରଣନୀତିକାର ଭାବେ କାର୍ଯ୍ୟ କରିଥିଲେ। ସେ ‘ଲଗେ ରହୋ କେଜ୍ରିୱାଲ’ କ୍ୟାମ୍ପେନ ଲଞ୍ଚ କରିଥିଲେ। ଏହି ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୬୨ ଆସନରେ ବିଜୟୀ ହୋଇଥିଲା।