କୋଭିଡ୍ ଚିକିତ୍ସାରେ ନିୟୋଜିତ ହେବେ ମେଡିକାଲ ଓ ନର୍ସିଂ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବିଶେଷଜ୍ଞମାନଙ୍କ ସହ ବୈଠକ କରି କୋଭିଡ୍ ମହାମାରୀଜନିତ ସାମ୍ପ୍ରତିକ ସ୍ଥିତି ଏବଂ ଚିକିତ୍ସାରେ ଆବଶ୍ୟକ ପଡ଼ୁଥିବା ଡାକ୍ତର, ମେଡିକାଲ ଅକ୍ସିଜେନର ଉପଲବ୍ଧତା ସମ୍ପର୍କରେ ସମୀକ୍ଷା କରିଛନ୍ତି। କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ସେମାନଙ୍କ ଚିକିତ୍ସାରେ ଏମ୍ବିବିଏସ୍ ଗ୍ରାଜୁଏଟ୍ ଏପରିକି ମେଡିକାଲ ଛାତ୍ରଛାତ୍ରୀ ଏବଂ ନର୍ସିଂ ଛାତ୍ରୀମାନଙ୍କୁ ନିୟୋଜିତ କରିବାକୁ ବୈଠକରେ ସ୍ଥିର ହୋଇଛି। କୋଭିଡ୍ ଚିକିତ୍ସାରେ ନିୟୋଜିତ କରାଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବା ସହିତ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି। ଏହି ବୈଠକରେ ନିଟ୍ ପରୀକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବା ସହ ଡାକ୍ତରଙ୍କ ଅଭାବ ବିଷୟରେ ଆଲୋଚନା ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ମୋଦୀ ଦେଶର କୋଭିଡ୍ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।