ନୂଆଦିଲ୍ଲୀ,ଏଜେନ୍ସି: ଏପ୍ରିଲ ମାସରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବି.ପି କାନୁନଗୋ ଅବସର ନେବା ପରେ ଏବେ ତାଙ୍କ ସ୍ଥାନରେ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ ହେବାକୁ ଯାଉଛନ୍ତି ଟି. ରବି ଶଙ୍କର। ପୂର୍ବରୁ ରବି ଶଙ୍କର ଭାରତ ସରକାରଙ୍କ ଅନେକ ଆର୍ଥିକ କମିଟିର ସଦସ୍ୟ ଥିବା ସହିତ ସେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଋଣ ପରିଚାଳନା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଭାର ମଧ୍ୟ ସମ୍ଭାଳି ଆସିଛନ୍ତି।
ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ ଆଣ୍ଡ ଟ୍ରେନିଂ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ଟି. ରବି ଶଙ୍କରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ଭାବରେ ମନୋନୀତ କରାଯାଇଛି। ଏବେ ରବି ଶଙ୍କର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାବରେ କାର୍ଯ୍ୟରତ ଅଛନ୍ତି। ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଡେପୁଟି ଗଭର୍ଣ୍ଣର ଭାବରେ ଟି. ରବି ଶଙ୍କର ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ଟି. ରବି ଶଙ୍କରଙ୍କୁ କେଉଁ ବିଭାଗର ଦାୟିତ୍ୱ ଦିଆଯିବ ସେ ନେଇ ଏବେ ଜାରି ହୋଇଥିବା ବିଜ୍ଞପ୍ତିରେ କିଛି ସୂଚନା ଦିଆଯାଇ ନାହିଁ।