ଆଇପିଏଲରେ କରୋନା ଭୟ: ଟୁର୍ଣ୍ଣାମେଣ୍ଟରୁ ଓହରିଗଲେ ଆର୍ ଅଶ୍ୱିନ୍

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋଭିଡ ସଂକ୍ରମଣ ବଢ଼ୁଥିବା ବେଳେ ଆଇପିଏଲ-୨୦୨୧ ଉପରେ ଏହାର ପ୍ରଭାବ ପଡ଼ିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ଆଇପିଏଲରୁ ବ୍ରେକ୍ ନେଇଥିବା ସୂଚନା ମିଳିଛି। ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ତାଙ୍କ ପରିବାର ଅନେକ ଲୋକ କୋଭିଡ ମହାମାରୀର ଶିକାର ହୋଇଛନ୍ତି। ଏହି ସମୟରେ ସେ ପରିବାରକୁ ସମର୍ଥନ କରିବା ପାଇଁ ସେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ଯଦି ସ୍ଥିତିରେ ଉନ୍ନତି ଆସେ ତେବେ ସେ ଫେରିପାରନ୍ତି ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି।

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋରର ଦୁଇ ଖେଳାଳି ଆଦାମ ଜାମ୍ପା ଏବଂ ଜେ ରିଚାର୍ଡସନ ମଧ୍ୟ ଆଇପିଏଲରୁ ଓହରି ଯାଇଛନ୍ତି। ଏହି ଦୁଇ ଅଷ୍ଟ୍ରେଲିୟ ଖେଳାଳି ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଫେରିଯାଇଥିବା ଆରସିବି ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଅଷ୍ଟ୍ରେଲିଆର ଆଣ୍ଡ୍ର୍ୟୁ ଟାୟ ମଧ୍ୟ ସ୍ୱଦେଶ ଫେରିଯାଇଛନ୍ତି।