ୱାଶିଂଟନ୍/ନୂଆଦିଲ୍ଲୀ, ଏଜେନ୍ସି: ଭାରତରେ କରୋନା ସଂକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲାବେଳେ ବିଶ୍ୱ ସମୁଦାୟ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଆମେରିକା ଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ବିଭିନ୍ନ ଦେଶ କରୋନା ଲଢ଼େଇରେ ଭାରତକୁ ସାହାଯ୍ୟ ଓ ସହଯୋଗ କରିବାକୁ ଆଗଭର ହୋଇଛନ୍ତି। ହ୍ୱାଇଟ୍ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ ଟ୍ୱିଟରରେ ଭାରତର କରୋନା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେରିକା ଏଥିନେଇ ଗଭୀର ଭାବେ ଉଦବିଗ୍ନ। ଆମେ ଆମର ବନ୍ଧୁ ରାଷ୍ଟ୍ର ଭାରତକୁ ନିରନ୍ତର ସାହାଯ୍ୟ ଯୋଗାଇ ଦେବାକୁ ଉଦ୍ୟମ କରୁଛୁ। ଇତିମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ମଧ୍ୟ ଭାରତକୁ ଏହି ଦୁର୍ଦ୍ଦିନରେ ସହାୟତା ଯୋଗାଇବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଆମେ ଖୁବ୍ଶୀଘ୍ର ଭାରତକୁ ଅତିରିକ୍ତ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀ ଯୋଗାଇ ଦେବୁ ବୋଲି ବ୍ଲିଙ୍କେନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। କେବଳ ଆମେରିକା ନୁହେଁ, ଫ୍ରାନ୍ସ, ଅଷ୍ଟ୍ରେଲିଆ ଓ ୟୁରୋପୀୟ ସଂଘ ମଧ୍ୟ ଭାରତକୁ କୋଭିଡ୍ ଲଢ଼େଇରେ ସହାୟତାର ହାତ ବଢ଼ାଇଛନ୍ତି।