ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଦେଶରେ ଅମ୍ଳଜାନର ଅଭାବ ଦେଖାଦେଇଛି। ଏହି ଅଭାବକୁ ପୂରଣ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଜର୍ମାନୀ ମଧ୍ୟ ସହାୟତାର ହାତ ବଢ଼ାଇଛି। ଜର୍ମାନୀରୁ ୨୩ଟି ଭ୍ରାମ୍ୟମାଣ ଅମ୍ଳଜାନ ଉତ୍ପାଦନ କେନ୍ଦ୍ର (ପ୍ଲାଣ୍ଟ) ଭାରତ ଆସୁଛି। ବାୟୁସେନାର ପରିବହନକାରୀ ଯୁଦ୍ଧବିମାନ ଦ୍ୱାରା ଏହି ସବୁ ଅକ୍ସିଜେନ କେନ୍ଦ୍ରକୁ ଭାରତ ଅଣାଯାଉଛି। ଏହି କେନ୍ଦ୍ରକୁ ସେନା ଡାକ୍ତରଖାନାରେ ସ୍ଥାପନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟ ମୁଖପାତ୍ର ଭାରତ ଭୂଷଣ ବାବୁ ସୂଚନା ଦେଇଛନ୍ତି।
ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରତି ଅମ୍ଳଜାନ କେନ୍ଦ୍ର ମିନିଟକୁ ୪୦ ଲିଟର ଓ ଘଣ୍ଟାକରେ ୨୪ଶହ ଲିଟର ଅମ୍ଳଜାନ ଉତ୍ପାଦନ କରିବ।