ଗ୍ୟାସ ଟାଙ୍କି ଫାଟି ଜଳିଗଲା ୬ ବଖରା ଘର

ନୀଳଗିରି,ଏନ୍ଏନ୍ଏସ୍: ଘରେ ପରିବାର ଲୋକେ ଶୋଇଥିବା ବେଳେ ହଠାତ ଗ୍ୟାସ ଟାଙ୍କି ଫାଟି ୬ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଭଳି ଭୟାବହ ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସିର ସୀମାନ୍ତ ଆମ୍ବୁଡ଼ିହା ଅଞ୍ଚଳରେ। ଶୁକ୍ରବାର ରାତିରେ ଏହି ଅଘଟଣ ଘଟିଥିବା ବେଳେ ହେନ୍ତସୁରା ଗାଁର ବିଜୟ ମଲ୍ଲିକ, ସୁଶାନ୍ତ ମଲ୍ଲିକ ଓ ଅରୁଣ ମଲ୍ଲିକଙ୍କ ଘର ପୋଡ଼ିଯାଇଛି। ଉଭୟଙ୍କ ପରିବାର ଲୋକେ ଘରେ ଶୋଇଥିବାବେଳେ ନିଆଁ ଉତ୍ତାପ ପାଇ ପରିବାର ଲୋକେ ପିଲାଛୁଆଙ୍କୁ ଧରି ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

ନୀଳଗିରି ଅଗ୍ନିଶମ ବିଭାଗର କର୍ମଚାରୀ ରାତି ସାରା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ଶନିବାର ସକାଳୁ ଏହାକୁ ଆୟତ୍ତ କରାଯାଇଛି। ଏହି ଭୟାବହ ଅଗ୍ନିକାଣ୍ଡରେ ଘରେ ଥିବା ବାଇକ, ଟଙ୍କା ପଇସା, ଚାଉଳ, ଷ୍ଟାମ୍ପ ପେପର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଜଳି ଯାଇଥିବା ୬ ବଖରା ଘରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନି। ରେମୁଣା ବ୍ଲକ୍ ରାଜସ୍ୱ ବିଭାଗ ପକ୍ଷରୁ ତୁରନ୍ତ ଏହି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।