ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ପ୍ରସଙ୍ଗରେ ଶୁକ୍ରବାର ୧୧ଟି ସମ୍ବେଦନଶୀଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏହି ବୈଠକରେ ମୋଦୀ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ଏବଂ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ପ୍ରସଙ୍ଗରେ ଆଲୋକପାତ କରିଛନ୍ତି। ବର୍ତ୍ତମାନ କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହେଉଥିବାବେଳେ କେତେକ ରାଜ୍ୟ ଅନ୍ୟ ରାଜ୍ୟକୁ ଯାଉଥିବା ଅକ୍ସିଜେନ ଟ୍ୟାଙ୍କରଗୁଡିକୁ ଅଟକାଇ ନିଜର ସ୍ୱାର୍ଥ ସାଧନ କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୈଠକରେ ଅଭିଯୋଗ କରିଥିଲେ। ଏହାର ଜବାବରେ ମୋଦୀ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କ ରାଜ୍ୟ ଦେଇ ଅନ୍ୟ ରାଜ୍ୟକୁ ଯାଉଥିବା ଅକ୍ସିଜେନ ଟ୍ୟାଙ୍କରଗୁଡିକୁ ଅଟକାଇବା ବିଲକୁଲ ଅନୁଚିତ। ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କରୁଥିବାବେଳେ ଅଧିକାଂଶ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କୁ ଶଯ୍ୟା, ଭେଣ୍ଟିଲେଟର, ଅମ୍ଳଜାନ ଯୋଗାଇବାରେ ଅସୁବିଧା ଉପୁଜିଛି। ମୋଦୀ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ସମାଧାନର ବାଟ ବାହାର କରିବାକୁ ପରାମର୍ଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ମୋଦୀ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବିଭିନ୍ନ ହସ୍ପିଟାଲକୁ କିପରି ସହଜରେ ଅମ୍ଳଜାନ ଯୋଗାଣ ହୋଇପାରିବ, ସେଥିପାଇଁ ଉଚ୍ଚସ୍ତରୀୟ ସମନ୍ୱୟ କମିଟି ଗଠନ କରିବା ଉପରେ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ପକ୍ଷରୁ ସଂପୃକ୍ତ ରାଜ୍ୟକୁ ଅକ୍ସିଜେନ ଟ୍ୟାଙ୍କର ମିଳିବାପରେ ସଂପୃକ୍ତ ରାଜ୍ୟର ସବୁୁ ହସ୍ପିଟାଲକୁ ଅନାୟାସରେ ଏହା ଯୋଗାଇ ଦେବା କାର୍ଯ୍ୟକୁ କମିଟି ଅନୁଧ୍ୟାନ କରିବ ବୋଲି କୁହାଯାଇଛି। କୋଭିଡ୍ ବିରୋଧୀ ଯୁଦ୍ଧରେ ସବୁ ରାଜ୍ୟ ଏକଜୁଟ ହେବାକୁ ମୋଦୀ ଆହ୍ୱାନ ଦେଇଛନ୍ତି। ଦେଶରେ କୋଭିଡ୍ର ପ୍ରଥମ ଲହରୀ ଆସିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାର୍ଯ୍ୟ କରିଥିବାରୁ ଏହାକୁୁ ନିୟନ୍ତ୍ରଣ କରାଯାଇପାରିଥିଲା। ତେଣୁ ଦ୍ୱିତୀୟ ଲହରୀରେ ମଧ୍ୟ ଏହି ରଣନୀତି ଏକାନ୍ତ ଜରୁରୀ ବୋଲି ମୋଦୀ କହିଛନ୍ତି। ବୈଠକରେ କେଜରିୱାଲ ଦିଲ୍ଲୀର ହସ୍ପିଟାଲରେ ଦେଖାଦେଇଥିବା ଅମ୍ଳଜାନ ଅବ୍ୟବସ୍ଥା ସମ୍ପର୍କରେ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ୟାଙ୍କରକୁ ନିଜ ରାଜ୍ୟରେ ନ ଅଟକାଇବା ପାଇଁ କେଜରିୱାଲ ହାତଯୋଡି ବିନମ୍ର ଅନୁରୋଧ କରିଥିଲେ। ଚଳିତମାସରେ ଦିଲ୍ଲୀକୁ ଆସୁଥିବା ଟ୍ୟାଙ୍କରକୁ ଉତ୍ତରପ୍ରଦେଶ ଓ ହରିୟାଣାରେ ଅଟକାଯାଇଥିବା ଘଟଣାକୁ କେଜରିୱାଲ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋଭିଡ୍ ଟିକା, ରେମଡିସିଭିର ଇଂଜେକସନ ଓ ଅକ୍ସିଜେନ ସିଲିଣ୍ଡରର କଳାବଜାର ରୋକିବାକୁ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି।