ସାପ କାମୁଡ଼ାରେ ୪ ମୃତ

ଅନୁଗୁଳ, ୧୫ା୯/ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ରବିବାର ସାପ କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ, ଛେଣ୍ଡିପଦା ଥାନା ପୋଡ଼ାପଡ଼ା ଗାଁର ରାଜକିଶୋର ନାଏକଙ୍କ ପୁଅ ଶକ୍ତି ପ୍ରସାଦ ନାଏକ (୧୭) ଓ ବନ୍ତଳା ଥାନା ଧୋକୁଟା ଗାଁ ଢିପସାହିର ସନ୍ତୋଷ ସାହୁଙ୍କ ବଡ଼ ଝିଅ ସପ୍ତମ ଶ୍ରେଣୀର ଛାତ୍ରୀ ସସ୍ମିତା ସାହୁ।

ଶକ୍ତି ଘରେ ଶୋଇଥିବା ବେଳେ ଏକ ଚିତି ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଶକ୍ତିଙ୍କ ପରିବାର ଲୋକେ ତାଙ୍କୁ ଛେଣ୍ଡିପଦା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଡାକ୍ତର ମୃତ ଘୋଷଣା କରିବା ସତ୍ତେ୍ୱ ଏହାକୁ ବିଶ୍ୱାସ କରି ପାରି ନଥିଲେ ପରିବାର ଲୋକ। ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ଆସି ଛିଡ଼ା ହୋଇଥିବା ସତ୍ତେ୍ୱ ବ୍ୟବଚ୍ଛେଦ କରିବାକୁ ମନା କରିବା ସହ ଗୁଣିଆକୁ ଯୋଗାଯୋଗ କରିଥିଲେ।

ପରିବାର ଲୋକେ ମୃତ ଶରୀରକୁ ଏକ ଗୁଣିଆ ପାଖକୁ ନେବାକୁ ଜିଦ୍ ଧରିଥିଲେ। ପୁଲିସ ପହଞ୍ଚିବା ପରେ ପରିବାର ଲୋକଙ୍କୁ ଦୀର୍ଘ ଦେଢ଼ ଘଣ୍ଟା ଧରି ବୁଝାସୁଝା କରିଥିଲେ ମଧ୍ୟ ପରିବାର ଲୋକ ଶବ ବ୍ୟବଚ୍ଛେଦ କରିବାକୁ ନାରାଜ ହୋଇଥିଲେ। ଏଥି ସହ ପରିବାର ଲୋକେ ଆମ ପୁଅ ବଞ୍ଚିଛି ଓ ତାକୁ ଗୁଣିଆ ପାଖକୁ ନେବୁ ବୋଲି କହିଥିଲେ। ଫଳରେ ଶବ ମେଡିକାଲ ପରିସରର ନିରାମୟ ଔଷଧ କେନ୍ଦ୍ର ସମ୍ମୁଖରେ ୨ ଘଣ୍ଟା ପଡ଼ି ରହିଥିଲା।

ପରେ ପରିବାର ଲୋକେ କୁରୁମିଠା ଗ୍ରାମର ଗୁଣିଆ ସଲିଳ ସାମଲଙ୍କୁ ନେଇ ଚିକିତ୍ସାଳୟରେ ପହଞ୍ଚିଥିଲେ। ମେଡିକାଲ ପରିସରରେ ଗୁଣିଆ ଜଣଙ୍କ ଶକ୍ତିଙ୍କୁ ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା କହିଥିଲେ। ଏହା ପରେ ଶକ୍ତିଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ବିଶ୍ୱାସ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ସେହିଭଳି ବନ୍ତଳା ଥାନା ଧୋକୁଟା ଗାଁ ଢିପସାହିର ସନ୍ତୋଷ ସାହୁଙ୍କ ବଡ଼ ଝିଅ ସପ୍ତମ ଶ୍ରେଣୀର ଛାତ୍ରୀ ସସ୍ମିତା ସାହୁଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ପରିବାର ସୂଚନା ଅନୁଯାୟୀ ଦିନ ପ୍ରାୟ ୩ଟା ବେଳେ ସେ ବାଡ଼ିପଟକୁ କୋ÷ଣସି ଏକ କାମରେ ଯାଇଥିବା ବେଳେ ତାଙ୍କ ପାଦକୁ ଏକ ସାପ କାମୁଡ଼ି ଦେଇଥିଲା। ସସ୍ମିତା ସାପ କାମୁଡ଼ି ଦେବା ଦେଖି ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।