ବଲାଙ୍ଗିରରୁ ଆଜି ରେକର୍ଡ ସଂଖ୍ୟକ ୧୬୮ ଆକ୍ରାନ୍ତ

ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଭାବେ ଜିଲ୍ଲାର ବିଭନ୍ନ ସହରାଞ୍ଚଳରେ ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି। ଗତ ତିନି ଦିନରେ କେବଳ ବଲାଙ୍ଗିର ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଛୁଇଁଛି। ସେହିପରି ପାଟଣାଗଡ଼, ବେଲପଡ଼ା, କଣ୍ଟାବାଞ୍ଜି ବିଶେଷ ଭାବେ ପ୍ରଭାବିତ ହୋଇଥିବାସ୍ଥଳେ ଆଜି ବଲାଙ୍ଗିର ସହରରୁ ୩୯, ଟିଟିଲାଗଡ ସହରରୁ ୪୧ ଓ ପୁଇଁନ୍ତଳା ବ୍ଲକରେ ଏକା ଥରକୁ ୨୧ ଜଣ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଜିଲ୍ଲାରେ ବଢିବଢି ଚାଲିଛି। ଟିକାଗ୍ରହଣ କରିଥିବା ବ୍ୟକ୍ତିମାନେ ମଧ୍ୟ ସଂକ୍ରମମଣ ଜନିତ ମୃତ୍ୟୁରୁ ବାଦ ପଡୁନାହାନ୍ତି।

ଏଭଳି ସ୍ଥିତି ଜନସାଧାରଣ ସଚେତନ ଓ ସତର୍କ ରହିବା ସହିତ ପାରୁପର୍ଯ୍ୟନ୍ତ ସାମାଜିକ ଦୂରତା ଅବଲମ୍ବନ କରିବା ହିଁ ଏକମାତ୍ର ରାସ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଆଜି ଦିନକରେ ଜିଲ୍ଲାରେ ୧୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି। ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ବ୍ଲକରୁ ୧୩ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୩୯ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ୧୦ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୨ ଜଣ, ଖପ୍ରାଖୋଲ ବ୍ଲକରୁ ୩ ଜଣ, ଲୋଇସିଂହା ବ୍ଲକରୁ ୪ ଜଣ, ମୁରିବାହାଲ ବ୍ଲକରୁ ୫ ଜଣ, ପାଟଣାଗଡ଼ ବ୍ଲକରୁ ଜଣେ, ପାଟଣାଗଡ ସହରାଞ୍ଚଳରୁ ୭ଜଣ, ପୁଇଁନ୍ତଳା ବ୍ଲକରୁ ୨୧ ଜଣ, ସଇଁନ୍ତଳା ବ୍ଲକରୁ ଜଣେ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୨ଜଣ, ଟିଟିଲାଗଡ ସହରରୁ ୪୧ ଜଣ ଓ ତୁରେକେଲା ବ୍ଲକରୁ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୦୦୭୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୧୧୮ ଜଣ ସୁସ୍ଥ ହୋଇଥିବାବେଳେ ୯୦୯ ଜଣ ସକ୍ରିୟ ଥିବା ଜଣାପଡ଼ିଛି।