ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ଉପଖଣ୍ଡ କୁକୁଡାଖଣ୍ଡିରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସଦରଥାନା କୁକୁଡାଖଣ୍ଡି ଗାଁରେ ଏହି ଅଘଟଣ ଘଟିଛି। ଗୋଟିଏ କ୍ରସର ଘର ଭିତରେ ବିସ୍ଫୋରଣ ଘଟିଛି।
ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୧୦ଟାରେ ଏହି ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ଉଦ୍ଧାର ବେଳକୁ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୩ ଗୁରୁତର ଏମକେସିଜି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।