କୁମ୍ଭମେଳା ଫେରନ୍ତାଙ୍କ ପାଇଁ କଟକଣା ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ହରିଦ୍ୱାରରେ ଆୟୋଜନ ହୋଇଥିବା କୁମ୍ଭମେଳାରେ ଯୋଗଦେଇ ଓଡ଼ିଶାକୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି। ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି।

କଟକଣା ଅନୁଯାୟୀ କୁମ୍ଭମେଳାରୁ ଓଡ଼ିଶାକୁ ଫେରୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କୁ ଏସଆରସି ଚିଠି କରିଛନ୍ତି। କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ପରିଚୟ ସହିତ ସେମାନଙ୍କ ବୁଲିଥିବା ସ୍ଥାନର ତଥ୍ୟ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ସମସ୍ତ କୁମ୍ଭମେଳା ଫେରନ୍ତା ଓଡ଼ିଶା ଆସିବା ପରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କଠାରେ କୋଭିଡ ଲକ୍ଷଣ ଦେଖାଦେଲେ ଅଙ୍ଗନବାଡ଼ି ଓ ଆଶାକର୍ମୀ ସ୍ୱାସ୍ଥ୍ୟ ଯାଞ୍ଚ କରିବେ ଓ ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେବେ।