ବାଲି ବୋଝେଇ ହାଇବାକୁ ପଛରୁ ଧକ୍କା ଦେଲା ଅଟୋ, ୭ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପାଟଣା କେନ୍ଦୁଝର ରାସ୍ତାର ଶରଧାପୁର ଛକ ନିକଟରେ ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ବାଲି ବୋଝେଇ ହାଇବାକୁ ପଛ ପଟୁ ଅଟୋ ଧକ୍କା ଦେଇଛି। ଫଳରେ ଅଟୋରେ ଥିବା ୭ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ଦେଢ଼ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଜଡ଼ିଚାତର ଗ୍ରାମର ଏକ ପରିବାର ବର ଦେଖିବା ପାଇଁ ମୟୁରଭଞ୍ଜ କରଞ୍ଜିଆ ଯାଇଥିଲେ। ବର ଦେଖି ବିଳମ୍ବିତ ରାତିରେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଜୋରରେ ଧକ୍କା ହେବା ଯୋଗୁ ଅଟୋ ଡ୍ରାଇଭର ଅଟୋ ଭିତରେ ଚାପି ହୋଇ ରହିଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ସମସ୍ତ ଗୁରୁତରଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅଟୋ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।