ଦେବଗଡ଼, ଏନ୍ଏନ୍ଏସ୍: ସାରା ରାଜ୍ୟରେ ଆଜି ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ଦେବଗଡ଼ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିଲେ। ତେବେ ଦେବଗଡ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି।
ଶୁକ୍ରବାର ପୂର୍ବାହ୍ନ ୮ ଟା ସମୟରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହାର ଏକ ଘଣ୍ଟା ନପୁରୁଣୁ ପ୍ରଶ୍ନପତ୍ର ଏବଂ ଉତ୍ତର ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିଲା। ଅନ୍ୟପକ୍ଷରେ ପୂର୍ବାହ୍ନ ସାଢ଼େ ୮ଟା ସମୟରେ ଉକ୍ତ ପରୀକ୍ଷା କେନ୍ଦ୍ରର ଜଣେ ପରୀକ୍ଷାର୍ଥୀନୀ ରଜନୀ ବେହେରାଙ୍କ ନିକଟରୁ ପ୍ରଶ୍ନପତ୍ରର ଚିତ୍ର ଉତ୍ତୋଳନ ହୋଇଥିବା ଏକ ମୋବାଇଲ ଫୋନ ବିଦ୍ୟାଳୟ କର୍ତୃପକ୍ଷଙ୍କ ଦ୍ୱାରା ଜବତ ହୋଇଥିଲା। ଉକ୍ତ ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତିଲେବଣୀ ବ୍ଲକ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ ସୂଚନା ଦେଇଛନ୍ତି। ତେବେ ଏହି ନିର୍ଦ୍ଦିଷ୍ଟ ମୋବାଇଲରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ନା ନାହିଁ ସେନେଇ ଅନୁଧ୍ୟାନ ପରେ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ମଧ୍ୟ ଏକ ମୋବାଇଲ ଜବତ ହୋଇଥିବା ଏବଂ ଏହାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିବା ପ୍ରକାଶ କରିଛନ୍ତି। ପ୍ରଶ୍ନପତ୍ର ଭାଇରାଲ ଘଟଣା ଜଣା ପଡିବା ପରେ ପରୀକ୍ଷାର୍ଥୀମାନେ ପରୀକ୍ଷାର ଫଳାଫଳକୁ ନେଇ ଆଶଙ୍କାରେ ଥିବା ବେଳେ ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ ଫୋନ କିଭଳି ଗଲା ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବହୁ ପରୀକ୍ଷାର୍ଥୀ ଦାବି କରିଛନ୍ତି ।