ଟିଟିଲାଗଡ଼,ସଇଁନ୍ତଳା,ଏନ୍ଏନ୍ଏସ୍: ଟ୍ରେନ୍ ଲୁଟେରାକୁ ଟିଟିଲାଗଡ଼ ଆରପିଏଫ ସ୍ପେଶାଲ୍ ଟାସ୍କ ଫୋର୍ସ କାବୁ କରିଛି । ଆଜମେର – ପୁରୀ ସୁପରଫାଷ୍ଟ ଟ୍ରେନରେ ଗୁଜରାଟର ଦୀପ୍ତି ଗାନ୍ଧୀ ନାମକ ଜଣେ ମହିଳା ତାଙ୍କ ବାପା, ମା’ ଓ ଛୁଆ ସହ ମାର୍ଚ୍ଚ ୨୪ରେ ସୁରଟରୁ ଭୁବନେଶ୍ୱର ଯାଉଥିଲେ। ଏହି ସମୟରେ ଖରୀଆର ରୋଡ ଷ୍ଟେସନ ପହଞ୍ଚିବା ପୂର୍ବରୁ ଜଣେ ଚୋର ସେ ଧରିଥିବା ଭ୍ୟାନିଟି ବ୍ୟାଗକୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା। ମହିଳା ଜଣକ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚି ଜିଆରପି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମାର୍ଚ୍ଚ ୨୬ରେ ମହିଳାଙ୍କ ମାମଲା ରୁଜୁ ହେବା ପରେ ଏପ୍ରିଲ ୧ରେ ଭୁବନେଶ୍ୱରରୁ ଟିଟିଲାଗଡ଼ ଜିଆରପିକୁ ମାମଲା ସ୍ଥାନାନ୍ତର କରାଯାଇଥିଲା। ଟିଟିଲାଗଡ଼ ଆରପିଏଫର ସ୍ପେସିଆଲ ଟାସ୍କ ଫୋର୍ସ ଓ କଣ୍ଟାବାଞ୍ଜି ଜିଆରପି ପୁଲିସର ମିଳିତ ଛାନଭିନରେ ଅଜ୍ଞାତ ଚୋରଟି ମହାସମୁନ୍ଦର ସୌରଭ ବୁରାଣ୍ଡି ବୋଲି ଜଣାପଡ଼ିଥିଲା। ପରେ ଟିଟିଲାଗଡ଼ ଜିଆରପିଏଫର ସ୍ପେସିଆଲ ଟାସ୍କ ଟିମର ଉପନିରୀକ୍ଷକ ଏମ କେ ସାହୁ, ଆରକ୍ଷକ ଏସ ବିସବାଳ, ଆରକ୍ଷକ ଶମ୍ଭୁ ସାହୁ, ଆରକ୍ଷକ ସତିଶ କୁମାର, କଣ୍ଟାବାଞ୍ଜି ଜିଆରପି ପୁଲିସ ଏସଆଇ ମୋହନ ନାୟକଙ୍କ ମିଳିତ ଉଦ୍ୟମରେ ଏପ୍ରିଲ ୨ ତାରିଖରେ ମହାସମୁନ୍ଦ ଜିଲ୍ଲା ନୟାପଡ଼ାରେ ରେଡ୍ ମାରି ଅଭିଯୁକ୍ତ ସୌରଭ ବୁରାଣ୍ଡୀକୁ ଗିରଫ କରିଥିଲେ। ଏହାସହ ତାଙ୍କଠାରୁ ଚୋରି ହୋଇଥିବା ୨ଟି ମୋବାଇଲ, ୯ ହଜାର ଟଙ୍କା, ସୁନା ଗହଣା, ୩ଟି ଏଟିଏମ କାର୍ଡ ଜବତ କରିଛି। ଟିଟିଲାଗଡ ଜିଆରପି ପୁଲିସ ସୌରଭକୁ କୋର୍ଟ ଚାଲାଣ କରିଛି।