ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ବେଳେ ୬ ଶିକାରୀ ଗିରଫ, ଧନୁତୀର ସହ ୧୨ କେଜି କୁଟୁରା ମାଂସ ଜବତ

ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଧୀନ କେନ୍ଦୁମୁଣ୍ଡି ସଂରକ୍ଷିତ ଅନ୍ତର୍ଗତ ଡୁମୁରଡିହା ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ ଭାଗ କରୁଥିବା ସମୟରେ ୬ ଜଣ ଶିକାରୀଙ୍କୁ ଗିରଫ କଲା ବନବିଭାଗ। ସେମାନେ ନିଆଁ ଲଗାଇ ଜନ୍ତୁ ଶିକାର କରୁଥିବା ମଧ୍ୟ ଅନୁମାନ କରୁଛି ବନବିଭାଗ। ଗତକାଲି ବିଳମ୍ବିତ ରାତିରେ ଏକ ଟିମ ନିଆଁ ଲିଭାଇ ଘରକୁ ଫେରୁଥିବା ସମୟରେ ସନ୍ଦେହ ଜନକ ଭାବରେ ଧନୁତୀର ଧରି ଗୋଟିଏ ଜାଗାରେ ୬ ଜଣଙ୍କୁ ଦେଖି ବନବିଭାଗ କର୍ମଚାରୀମାନେ ଗାଡି ଅଟକାଇଥିଲେ।

ଗାଡ଼ି ଦେଖି ଘଟଣାସ୍ଥଳରୁ ଖସି ଯିବାପାଇଁ ଉଦ୍ୟମ କରୁଥିବା ବେଳେ ବନବିଭାଗ କର୍ମଚାରୀମାନେ ୬ ଜଣଙ୍କୁ କାବୁ କରିବା ସହିତ ଘଟଣାସ୍ଥଳରୁ ଧନୁତୀର ସହିତ ୧୨ କେଜି କୁଟୁରା ମାଂସ ଜବତ କରିଛି। ଏନେଇ ଠାକୁରମୁଣ୍ଡା ରେଞ୍ଜ ଅଫିସର କିଶୋର କୁମାର ପାଣିଗ୍ରାହୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ୬ ଜଣ ଶିକାରୀ ହେଲେ ନରସିଂହ ପାତ୍ର, ମାଙ୍ଗସା ହୋ, ଅଙ୍ଗା ହୋ, ମାନିକରାମ ଜାମଡା, ଲକ୍ଷ୍ମଣ ହୋ ଏବଂ କାନହୁଁ ହୋ ବୋଲି ଜଣାପଡିଛି।