ଦେଶରେ ୨୪ ଘଣ୍ଟାରେ ୮୧ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ, ୪୬୯ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ଲମ୍ବ ଡ଼ିଆଁ ମାରୁଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ସୂଚନା ଅନୁସାରେ ଦେଶରେ ପୁଣି ଦିନକରେ ୮୧,୪୬୬ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହିତ ୪୬୯ ଜଣ ରୋଗୀଙ୍କ ଦେହାନ୍ତ ମଧ୍ୟ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

ଏହି ନୂଆ କରୋନା ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ୫୦,୩୫୬ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୩୯ରେ ପହଞ୍ଚିଛି। ସେହିପରି ଦେଶରେ ୧ ଲକ୍ଷ ୬୩ ହଜାର ୩୯୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ମୋଟ ସକ୍ରିୟ ସଂଖ୍ୟା ୬ ଲକ୍ଷ ୧୪ ହଜାର ୬୯୬ ଜଣ ଚିକିତ୍ସାଧୀନ ଅଛନ୍ତି।