ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ବଡଝାର ଗାଁରେ ପୁଣି ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ୨୪ ଘଣ୍ଟାରେ ଗାଁର ଏତେ ସଂଖ୍ୟାରେ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ପାଲଲହଡା ଉପଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଗତ ୨୩ ତାରିଖରେ ବଡଝାର ଗାଁରେ ୨ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନଙ୍କୁ ସଂଗରୋଧରେ ରଖାଯାଇଥିଲା। ତାପରେ ସେହି ଦୁଇଜଣଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିଲା। ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅର୍ଥାତ ଏହି ଗାଁର ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୨୬କୁ ବୃଦ୍ଧି ପାଇଛି। ଗାଁ ଲୋକ ଯେମିତି ବାହାରକୁ ଆସି ନପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେଠାରେ ବାହାର ଲୋକଙ୍କୁ ଗାଁ ଭିତରକୁ ଗାଡି ଚଳାଚଳ ବନ୍ଦ ରଖାଯାଇଛି। ଗାଁ ଲୋକ ଯେମିତି ବାହାରକୁ ଆସି ପାରିବେ ନାହିଁ, ତାର ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି।