ଫ୍ରାନ୍ସ ସମେତ ବିଶ୍ୱର ୭ ରାଷ୍ଟ୍ରରେ ପୁଣି ଲକ‌ଡାଉନ୍‌

ପ୍ୟାରିସ୍‌,ଏଜେନ୍ସି: କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ର ଆବିର୍ଭାବ ପରେ ବିଶ୍ୱରେ ଏହାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ଲାଗି ବିଶ୍ୱର ବହୁ ରାଷ୍ଟ୍ର ପୁଣି ଲକଡାଉନ୍‌କୁ ଫେରିଛନ୍ତି। ଫ୍ରାନ୍ସ ସମେତ ବିଶ୍ୱର ୭ରାଷ୍ଟ୍ରରେ ପୁଣି ଲକ‌ଡାଉନ୍ ଘୋଷଣା ହୋଇଛି। ଫ୍ରାନ୍ସର ୧୬ଟି ଅଞ୍ଚଳରେ ପ୍ରାୟ ୨୧ ନିୟୁତ ଲୋକ ଏବେ ଲକ୍‌ଡାଉନ୍ ମଧ୍ୟରେ ଗତି କରୁଛନ୍ତି। ଦେଶରେ କରୋନାର ତୃତୀୟ ସଂକ୍ରମଣ ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଜ୍ୟାଁ କାଷ୍ଟେକସ କହିଛନ୍ତି।

ପୋଲାଣ୍ଡରେ ଗତ ନଭେମ୍ବର ମାସ ପରଠାରୁ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରୁ ସେଠାରେ ତିନି ସପ୍ତାହ ପାଇଁ ଅତି ଆବଶ୍ୟକ ନଥିବା ଦୋକାନ ବଜାର ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ହଙ୍ଗେରିରେ ଗତ ମାର୍ଚ୍ଚ ୮ ତାରିଖରୁ କୋଭିଡ୍ କଟକଣା ଲାଗୁ ହୋଇଛି। ନର୍ସରୀ ଓ ପ୍ରାଥମିକ ସ୍କୁଲଗୁଡ଼ିକ ଏପ୍ରିଲ ୭ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ତେବେ ପାର୍କ, ଜିମ୍ ପ୍ରଭୃତି ସାଧାରଣ ସ୍ଥଳଗୁଡ଼ିକ ଖୋଲା ରଖାଯାଇଛି। ଇଟାଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ସଂକ୍ରମଣ ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। କେବଳ ସ୍ୱାସ୍ଥ୍ୟ ତଥା ଅତ୍ୟାବଶ୍ୟକ କାରଣ ପାଇଁ ଲୋକେ ବାହାରକୁ ଯାଇପାରିବେ। ବେଲଜିୟମ୍‌, ଫିଲିପାଇନ୍ସ ଓ କେନିଆରେ ମଧ୍ୟ ପୁଣି ଥରେ ଲକ‌ଡାଉନ୍ ଜାରି ହୋଇଛି।