ୟାଙ୍ଗୁନ୍,ଏଜେନ୍ସି: ମିଆଁମାର୍ରେ ଗତ ଫେବୃଆରୀ ୧ରେ ଅଙ୍ଗ ସାନ ସୁକୀଙ୍କ ସରକାରକୁ ଗାଦିଚ୍ୟୁତ କରି ସେନା କ୍ଷମତା ଅକ୍ତିଆର କରିବା ପରେ ଶନିବାର ଥିଲା ସବୁଠାରୁ ଅତି ଭୟଙ୍କର ଦିନ। ସେନା ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଯାଇ ଆଖିବୁଜା ଗୁଳି ଚଳାଇବାରୁ ଅନ୍ୟୂନ ୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଗତ ୧୪ ତାରିଖରେ ସେନାର ଗୁଳିରେ ୭୪ରୁ ୯୦ ଜଣଙ୍କ ମୃତ୍ୟୁ ଘଟିଥିଲା।
ମିଳିଥିବା ରିପୋର୍ଟ ଅନୁଯାୟୀ ମିଆଁମାରର ପ୍ରାୟ ୧୨ଟି ସହରରେ ଏଭଳି ନରସଂହାର ଘଟିଛି। ସାମରିକ ସରକାର ଜୁଣ୍ଟା ପକ୍ଷରୁ ବିକ୍ଷୋଭକାରୀଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଗୁଳି ଚଳାଇବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଜୁଣ୍ଟା ମୁଖ୍ୟ ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହାଲିଙ୍ଗ ସେନା ଦିବସରେ ଜାତୀୟ ଟେଲିଭିଜନରେ ଉଦ୍ବୋଧନ ଦେବାବେଳେ ଦେଶରେ ସାମରିକ ଶାସନକୁ ବିରୋଧକୁ ଚାଲିଥିବା ବିକ୍ଷୋଭ ସମ୍ପର୍କରେ ସିଧାସଳଖ କିଛି ଉଲ୍ଲେଖ କରିନଥିଲେ। ସେ କେବଳ କହିଥିଲେ, ଆତଙ୍କବାଦ ଦେଶର ଶାନ୍ତି ଓ ସ୍ଥିରତା ପାଇଁ ବିପଦ ସୃଷ୍ଟି କରିଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ସେ ଅଙ୍ଗ ସାନ ସୁକୀ ସରକାରକୁ ବରଖାସ୍ତ କରାଯିବାର ଯଥାର୍ଥତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଅନ୍ୟପକ୍ଷରେ ମିଆଁମାରରେ ସାମରିକ ସରକାରର ଏଭଳି ଦମନଲୀଳାକୁ ଅନ୍ତର୍ଜାତୀୟ ସମୁଦାୟ ଦୃଢ଼ ନିନ୍ଦା କରିଛନ୍ତି।