ବ୍ରହ୍ମପୁରରେ ବିଇଏମସିର ନୂଆ ଗାଇଡ଼ଲାଇନ: ୫୦ ଜଣ ହିଁ ଦେଖିପାରିବେ ଦଣ୍ଡନାଚ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ରହ୍ମପୁର ସହରରେ ଦଣ୍ଡନାଚ ପ୍ରଦର୍ଶନକୁ ନେଇ କଟକଣା ଜାରି କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର। ଦଣ୍ଡନାଚ ପରିବେଷଣ ନେଇ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ଦଣ୍ଡନାଚ ପ୍ରଦର୍ଶନ ବେଳେ ୫୦ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା ଜାରି ହୋଇଛି। ଦଣ୍ଡନାଚ ସମୟରେ ଉପସ୍ଥିତ ସମସ୍ତ ଲୋକ, ଶ୍ରଦ୍ଧାଳୁ ଓ ଦଣ୍ଡୁଆ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ।

ଦଣ୍ଡନାଚ ସଂଗଠକ କୋଭିଡ୍ ନିମୟ ପାଳନ କଡ଼ାକଡ଼ି କରିବା ଦିଗରେ ସମସ୍ତ ପଦକ୍ଷେପ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜେସନ୍ ନିଶ୍ଚିତ କରିବେ। ଥର୍ମାଲ ସ୍କାନର ସାହାଯ୍ୟରେ ଶ୍ରଦ୍ଧାଳୁ ଓ ଦଣ୍ଡୁଆଙ୍କ ଥର୍ମାଲ୍ ସ୍କ୍ରିନିଂ କରିବା ବ୍ୟବସ୍ଥା କରିବେ। ସେହିପରି କୌଣସି ବ୍ୟକ୍ତିଙ୍କ ଠାରେ ଯଦି ଜ୍ୱର ଓ କାଶ ଭଳି ଲକ୍ଷଣ ଦେଖାଯାଏ ସେମାନଙ୍କୁ ଦଣ୍ଡନାଚ ପ୍ରଦର୍ଶନ ସ୍ଥାନକୁ ପ୍ରବେଶ ବାରଣ କରାଯିବ। ଆବଦ୍ଧ ସ୍ଥାନରେ ଦଣ୍ଡନାଚ ପ୍ରଦର୍ଶନ ହେବନାହିଁ।

ଦଣ୍ଡନାଚ ପୂର୍ବରୁ ବା ପରେ ଅଯଥା ଭିଡ଼ ବା ଜନଗହଳି ବାରଣ କରାଯାଇଛି। ସଂଗଠକ ଏଥିପ୍ରତି ଦୃଷ୍ଟି ଦେବେ। କୌଣସି ଅନ୍ନ ପ୍ରସାଦ ଭୋଜନ ବ୍ୟବସ୍ଥା ନିଷେଧ କରାଯାଇଛି। ଦଣ୍ଡନାଚ ପ୍ରଦର୍ଶନ ସମୟରେ ରାସ୍ତା ଅବରୋଧ ହେବନାହିଁ। ଖୋଲା ପଡ଼ିଆରେ ଦଣ୍ଡନାଚ ପ୍ରଦର୍ଶନ କରାଯିବ ଯାହାଫଳରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ। ୬୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି, ଦୂରାରୋଗରେ ପୀଡ଼ିତ, ଗର୍ଭବତୀ, ୧୦ ବର୍ଷରୁ କମ୍ ଶିଶୁ ଦଣ୍ଡନାଚ ଦେଖିବାକୁ ଉପସ୍ଥିତ ହେବେ ନାହିଁ। ଦଣ୍ଡନାଚ ସ୍ଥଳରେ ଖାଦ୍ୟ ପଦାର୍ଥ ବିକ୍ରି ହେବନାହିଁ।